ସୁବର୍ଣ୍ଣପୁର: ଫାଇନାନ୍ସ କମ୍ପାନୀ ଏଜେଣ୍ଟମାନେ ଘଟାଉଛନ୍ତି ସାଇବର ଅପରାଧ । ମୋଟର ସାଇକେଲ ଓ ଚାରି ଚକିଆ ଯାନ ଲୋନ କରାଇ ଗ୍ରାହକଙ୍କ ପାଖରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ । ମୋବାଇଲରୁ ସିକ୍ରେଟ କୋଡ ନେଇ ଉଠାଇ ନେଉଛନ୍ତି ଟଙ୍କା । ଏଭଳି ଠକେଇକୁ ନିୟନ୍ତ୍ରଣ କରିବାକୁ ଜନସାଧାରଣ ଆଗେଇ ଆସନ୍ତୁ ବୋଲି କହିଛନ୍ତି ସୁବର୍ଣ୍ଣପୁର ଏସପି ।
ସୂଚନା ଅନୁସାରେ, ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀମାନେ ଏବେ ଗ୍ରାହକଙ୍କୁ ଠକେଇ କରୁଥିବା ଜିଲ୍ଲା ପୋଲିସର ନଜରକୁ ଆସିଛି । ଏମାନେ କମ୍ପାନୀରୁ ବାହାରିବା ପରେ ଗ୍ରାହକଙ୍କ ଫୋନ ବ୍ୟବହାର କରି ଅନେକ ସମୟରେ ଋଣ ପରିଶୋଧ କରୁଥିବା ଜିଲ୍ଲା ପୋଲିସ ପାଖରେ ଅଭିଯୋଗ ହୋଇଛି । ଏପରିକି ଗାଡି ମାଲିକଙ୍କୁ ଅଟକାଇ ତାଙ୍କ ମୋବାଇଲରୁ ବିଭିନ୍ନ ଆପ ଜରିଆରେ ଟଙ୍କା ଉଠାଇ ନେଉଛନ୍ତି ଏଜେଣ୍ଟ ।
ଭୟଭୀତ କରାଇ ଗ୍ରାହକଙ୍କ ମୋବାଇଲରୁ ଓଟିପି ବ୍ୟବହାର କରି ମାସିକ ସୁଧ ଆଳରେ ଆକାଉଣ୍ଟରେ ଥିବା ସବୁ ଟଙ୍କା ଉଠାଇ ନେଉଥିବା ଅଭିଯୋଗ ହୋଇଛି । ଫଳରେ ଗ୍ରାହକମାନେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଦୌରାତ୍ମ୍ୟକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏପରି କ୍ରାଇମ ଘଟାଉଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ପାଖରେ ରିପୋର୍ଟ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର