ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ବ୍ଲକ ଚରଦା ଗ୍ରାମର ଚାଷୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ ବାସଭବନରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାନ ବିକ୍ରି ପାଇଁ ତୁରନ୍ତ ଟୋକନ ପ୍ରଦାନ କରିବା ଦାବି କରି ଏହି ଆନ୍ଦୋଳନ ହୋଇଥିବା ସୂଚନା ମିଳିଛି ।
ଚାଷୀମାନେ ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ତୁରନ୍ତ ଟୋକନ ଯୋଗାଇ ଦେବା ଦାବି କରି ମଙ୍ଗଳବାର ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ । ଜିଲ୍ଲାରେ ଧାନ କ୍ରୟ ଆରମ୍ଭ ହୋଇ ଯାଇଥିବା ବେଳେ ମାସକ ପରେ ଅନେକ ଚାଷୀ ବିକ୍ରି କରିବା ପାଇଁ ଟୋକନ ପାଇଛନ୍ତି । ତେବେ ଉତ୍ପାଦିତ ଧାନ ବିକ୍ରି କଲେ ପୁଣି ରବି ଚାଷରେ ଖର୍ଚ୍ଚ କରିବେ ବୋଲି ଚାଷୀମାନେ କହିଛନ୍ତି ।
ଉତ୍ପାଦନ ଧାନର ମୂଲ୍ୟ ତୁରନ୍ତ ପାଇଲେ ପରିବାର ଖର୍ଚ୍ଚ ସହିତ ଚାଷ ଖର୍ଚ୍ଚ ତୁଲାଇ ପାରିବେ ବୋଲି ଚାଷୀମାନେ ଦାବି କରିଥିଲେ । ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଚାଷୀମାନଙ୍କ ପାଖରେ ଅମଳ ଧାନ ଦୁଇ ମାସ ଗଚ୍ଛିତ ରଖିବା ପାଇଁ ସମସ୍ୟା ଦେଖା ଦେଉଛି । ତେଣୁ ଚାଷୀଙ୍କ ପାଖରୁ ତୁରନ୍ତ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ