ସୁବର୍ଣ୍ଣପୁର: ଜିଲ୍ଲା ତରଭାରେ ୟୁରିଆ ସାରର କଳାବଜାରକୁ ନେଇ ତାତିଲେ ଚାଷୀ । ଚାହିଦା ହିସାବରେ ସାରର ଅଭାବ ଓ ଚଢା ଦରରେ ବିକ୍ରିକୁ ନେଇ ଚାଷୀ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ସୂଚନା ଅନୁଯାୟୀ ତରଭାର ମହେଶ ଟ୍ରେଡର୍ସ ନାମକ ସାର ଗୋଦାମ ଗୃହ ସାମନାରେ ବହୁ ଚାଷୀ ସାର କିଣିବା ପାଇଁ ଆସିଥିଲେ । ସାର ବ୍ୟାପକ କଳାବଜାରୀ କରାଯାଇ ଚଢା ଦରରେ ବିକ୍ରି କରାଯାଉଛି । ଅଭିଯୋଗ ପାଇ ଘଟଣା ସ୍ଥଳକୁ କନିଷ୍ଠ କୃଷି ଅଧିକାରୀ ପ୍ରକାଶ ଚନ୍ଦ୍ର ପାଣି ପହଞ୍ଚିଥିଲେ । କୃଷି ଅଧିକାରୀଙ୍କ ଉପସ୍ଥିତିରେ ଚାଷୀମାନେ ସାର ଚଢା ଦରରେ ବିକ୍ରି ହେଉଥିବା ଓ ରସିଦ୍ ଦିଆଯାଉ ନ ଥିବା ଅଭିଯୋଗ କରିଥିଲେ । କନିଷ୍ଠ କୃଷି ଅଧିକାରୀ ରସିଦ୍ ଦିଆଯାଇ ପାରିବ ନାହିଁ ବୋଲି କହିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଘଟଣା ଥାନାକୁ ପହଞ୍ଚିବା ପରେ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝା ସୁଝା କରିଥିଲେ । ଏ ନେଇ ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ କୃଷି ଅଧିକାରୀ ପ୍ରଶାନ୍ତ ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ 178 ପ୍ୟାକେଟ ସାର ରସିଦ୍ ସହ ଧାର୍ଯ୍ୟ ମୁଲ୍ୟ 267 ଟଙ୍କାରେ ଚାଷୀ ମାନଙ୍କୁ ପ୍ରଦାନ କରାଯାଇଛି।
ପ୍ରତି ଆଧାର କାର୍ଡରେ ଚାଷୀଙ୍କୁ ଗୋଟିଏ ବସ୍ତା ସାର ଦିଆଯାଇଛି । ଚାଷୀମାନେ ଡିଲରଙ୍କ ଅନେକ ଗୋଦାମ ଥିବା ଓ କଳାବଜାର କାରବାରରେ ଜଡିତ ଥିବା ଅଭିଯୋଗ ଆଣି ଲାଇସେନ୍ସ ବାତିଲ କରିବା ସହ ଗୋଦାମ ଗୃହ ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି। କୋଭିଡ ସଂକ୍ରମଣ ଭୟ ଆଶଙ୍କା ଥିଲେ ମଧ୍ୟ ଚାଷୀ ସାର ଅଭାବ ଆଗରେ ସବୁ ଫେଲ ମାରିଥିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ