ସୁବର୍ଣ୍ଣପୁର: କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ବିଲ ପ୍ରତିବାଦରେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ଧାରଣା ଦିଆଯାଇଛି । ଏହି ଆନ୍ଦୋଳନରେ ଜିଲ୍ଲାର ବିଭିନ୍ନ କୃଷକ ସଙ୍ଗଠନର ସଭ୍ୟଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଓ କର୍ମୀମାନେ ସାମିଲ ହୋଇଥିଲେ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଧାରଣାରେ କେନ୍ଦ୍ର ସରକାରଙ୍କ କୃଷି ବିଲ ପ୍ରତ୍ୟାହୃତ କରିବା ପାଇଁ କୃଷକ ସଙ୍ଗଠନର କାର୍ଯ୍ୟକର୍ତ୍ତା ନିଜ ଦାବି ରଖିଥିଲେ । ଏହାସହିତ କୃଷି ଓ କୃଷକର ଉନ୍ନତି ପାଇଁ ସାତ ଦଫା ଦାବି ପୂରଣ କରିବା ପାଇଁ ଦାବିପତ୍ରରେ ଦର୍ଶାଯାଇଛି ।
ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀ ନେତାମାନେ ଧାରଣା ସମୟରେ ବିଭିନ୍ନ ସମସ୍ୟାଗୁଡିକୁ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ଲାଗି ରହିଥିବା ହାତୀ ଉପଦ୍ରବ, ଜଳସେଚନ ସମସ୍ୟା, ଅଚଳ ଉଠା ଜଳସେଚନଗୁଡିକୁ କାର୍ଯ୍ୟକ୍ଷମ କରିବା, କେନାଲ ମରାମତି କରିବା, ନଦୀ ନାଳଗୁଡ଼ିକରେ ଛୋଟ ଛୋଟ ଚେକ୍ ଡ୍ୟାମ ତିଆରି କରିବା ଆଦି ଚାଷୀ ନେତାମାନେ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ