ସୁବର୍ଣ୍ଣପୁର: ପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟା । ଋଣ ବୋଝ ସହି ନପାରି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଧିନସ୍ଥ ଟୁନିଆମୁଣ୍ଡା ଗାଁର ଚାଷୀ ଭଗବାନ ଯୁଆଡି ଆର୍ଥିକ ବୋଝ ସହି ନପାରି ଆତ୍ମହତ୍ୟା କରିଛନ୍ତି । ଲଗାତାର ଦୁଇ ବର୍ଷ ହେବ ଫସଲ ହାନି ହୋଇଚାଲିଛି । ଏହା ସହିତ ରବି ଋତୁରେ ନିଜର ଉତ୍ପାଦିତ ଧାନ ବିକ୍ରି ହେଉନଥିବାରୁ ଭଗବାନ ଯୁଆଡି ଆର୍ଥିକ ବୋଝ ସହି ପାରି ନ ଥିଲେ, ଯାହା ଫଳରେ ସେ ଅତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସ୍ବେଚ୍ଛାସେବୀ ବଳଦେବ ବେଦବାଗ । ଗତ ବର୍ଷ ଭଗବାନ ଯୁଆଡି ଋଣ ଆଣିଥିଲେ । ହେଲେ ଫସଲ ଭଲ ହୋଇନଥିଲା । ବଳକା ଫସଲରେ ପୋକ ଲାଗିଯାଇ ଫସଲ ନଷ୍ଟ ହୋଇଯାଇଥିଲା ।
ରବି ଋତୁରେ ଯାହା ବି ଫସଲ ଅମଳ ହୋଇଥିଲା ତାକୁ ମଣ୍ଡିକୁ ବିକ୍ରି ପାଇଁ ନେଇଥିଲେ । ହେଲେ ମଣ୍ଡି ପ୍ରକ୍ରି୍ୟାରେ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଉତ୍ପାଦିତ ଧାନ ବିକ୍ରି କରିପାରି ନଥିଲେ ଭଗବାନ ଯୁଆଡି । ଋଣଭାର କେମିତି ସୁଝିବେ ସେ ଚିନ୍ତାରେ ବିଷ ପିଇ ଦେଇଥିଲେ ଚାଷୀ ଭଗବାନ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାକୁ ଅଣା ଯାଇଥିଲା । ପରେ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ନାଁରେ ଏସବିଆଇ ବ୍ୟାଙ୍କ, ସେବା ସମବାୟ ସମିତି ଏବଂ UGBରେ ୮ ଲକ୍ଷ ଟଙ୍କାର ଋଣ ରହିଥିବା ଜଣାପଡିଛି । ମୃତ ଚାଷୀଙ୍କୁ ସମବେଦନା ଜଣାଇ ରାଜ୍ୟ ସରକାର ତୁରନ୍ତ ତାଙ୍କର ସମସ୍ତ କୃଷିଋଣ ଛାଡ କରି ୧୦ ଲକ୍ଷ ଟଙ୍କାର ଆର୍ଥିକ ରାଶି କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର