ସୁବର୍ଣ୍ଣପୁର: ଜିଲ୍ଲାରେ ଚଳିତ ରବି ଋତୁରେ ଧାନ ସଂଗ୍ରହ ପାଇଁ ଜିଲ୍ଲାର ସମସ୍ତ ଧାନକ୍ରୟ କେନ୍ଦ୍ର ଖୋଲା ହୋଇପାରିନାହିଁ । ଢେର କିଛି ଦିନ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଥିଲା । ମେ 15 ତାରିଖରେ ଜିଲ୍ଲାର ସମସ୍ତ 48 ଗୋଟି ମଣ୍ଡି ଖୋଲିବା ପାଇଁ ଜିଲ୍ଲାପାଳ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ନିର୍ଦ୍ଧାରିତ ସମୟ ଅତିବାହିତ ହୋଇ ଦୁଇ ସପ୍ତାହ ବିତିଯାଇଥିଲେ ବି ଜିଲ୍ଲାର ସମସ୍ତ ଧାନ କ୍ରୟ କେନ୍ଦ୍ର ଖୋଲାଯାଇ ପାରିନାହିଁ ।
ଫଳରେ ଚାଷୀମାନେ ରବି ଋତୁରେ ଉତ୍ପାଦିତ ନିଜର ଧାନ ବିକ୍ରି କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲାପାଳ ତୁରନ୍ତ ସମସ୍ତ ଧାନ ମଣ୍ଡି ଖୋଲି ଚାଷୀଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ କରିବା ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଧାନକ୍ରୟ କେନ୍ଦ୍ର ଗୁଡିକରେ ଚାଷୀଙ୍କୁ ଟୋକନ ଦିଆଯାଇଥିଲା । ଫଳରେ ଏଯାଏଁ 5 ଲକ୍ଷ 30 ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇପାରିଛି ।
ହେଲେ ଜିଲ୍ଲାର 48 ଗୋଟି ମଣ୍ଡିରୁ ମାତ୍ର 36 ଗୋଟି ମଣ୍ଡି ଖୋଲା ଯାଇଥିବାବେଳେ ଦୁଇ ସପ୍ତାହ ପରେ ବି ଆଉ 12 ଗୋଟି ମଣ୍ଡି ଖୋଲା ଯାଇପାରିନାହିଁ । ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହରେ ସନ୍ତୋଷ ପ୍ରକାଶ କରିବା ସହିତ କ୍ରୟ କେନ୍ଦ୍ର ଗୁଡିକରେ ଥିବା କର୍ମଚାରୀଙ୍କୁ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ଓ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ