ସୁବର୍ଣ୍ଣପୁର: ଜିଲ୍ଲାରେ ଥିବା ଉଲୁଣ୍ଡା ବନାଞ୍ଚଳକୁ ପୁଣି ଫେରିଛନ୍ତି ହାତୀପଲ । ଗତ ଦୁଇ ମାସ ଧରି ଏହି ଅଞ୍ଚଳରୁ ହାତୀପଲ ବିନିକା ଅଞ୍ଚଳକୁ ଯାଇ ଉପଦ୍ରବ କରୁଥିଲେ । ଗତ ଚାରି ପାଞ୍ଚ ଦିନ ହେଲା ବିନିକା ଅଞ୍ଚଳରୁ ପୁଣି ଏହି ହାତୀପଲ ଉଲୁଣ୍ଡା ରେଞ୍ଜ ଅଞ୍ଚଳକୁ ଫେରିଛନ୍ତି ।
ଉଲୁଣ୍ଡା ଅଞ୍ଚଳରୁ ଫେରିଥିବା ଏହି ହାତୀପଲ ପୁଣି ଉପଦ୍ରବ ଆରମ୍ଭ କରିଦେଇଛନ୍ତି । ହାତୀଙ୍କ ଉପଦ୍ରବ ବଢି ଚାଲୁଥିବା ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ସେପଟେ ବନବିଭାଗ ହାତୀପଲଙ୍କୁ ଘଉଡ଼ାଇବାରେ ବିଫଳତା ଦେଖାଇଛି । ବିଶେଷକରି ଏସ. ପତ୍ରାପାଲି , ସିଣ୍ଢୋଲ, ଚଡେଇପଙ୍କ ପଞ୍ଚାୟତରେ ହାତୀଙ୍କ ଉପଦ୍ରବ ଅଧିକ ଦେଖିବାକୁ ମିଳିଛି ।
ହାତୀପଲ ଫେରିବା ବାଟରେ ସିଣ୍ଢୋଲ ଗାଁର ରବି ପାଣ୍ଡେ ଓ ହେମରତ୍ନ ଝାଙ୍କରଙ୍କ ଘରଦ୍ବାର ଭାଙ୍ଗିଥିବା ବେଳେ ସିଣ୍ଢୋଲର ଏକ ଭୋଜନାଳୟ ପାଖରେ ଥିବା ଦୁଇଟି ନଡିଆ ଗଛକୁ ଭାଙ୍ଗି ଦେଇଛନ୍ତି । ଏହାସହ ସିଣ୍ଢୋଲ ଉପ ସ୍ବାସ୍ଥ୍ଯକେନ୍ଦ୍ରର ପାଚେରୀ ଭାଙ୍ଗି ଦେଇଛନ୍ତି । ତେବେ କ୍ଷତିଗ୍ରସ୍ତମାନେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ବନବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି । ସେପଟେ ରେଞ୍ଜର ଶିବପ୍ରସାଦ ନାଏକ ତଦନ୍ତ କରାଯାଇ ତୁରନ୍ତ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ