ସୁବର୍ଣ୍ଣପୁର: ଜିଲ୍ଲା ସଂଗମ ଆରତୀ ସଂଗଠନ ପକ୍ଷରୁ ହତ୍ୟାକାଣ୍ଡର ଶିକାର ହୋଇଥିବା ଶିକ୍ଷୟିତ୍ରୀ ମମିତାଙ୍କ ପାଇଁ ଦୀପାବଳୀରେ ଦୀପଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସହରର ପଞ୍ଚରଥ ମନ୍ଦିର ପରିସରରେ ଜିଲ୍ଲାର ଅନ୍ୟତମ ସ୍ବେଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ, ନାଟ୍ୟଚକ୍ର, ଜୁହାର ଓ ମହାନଦୀ ସାହିତ୍ୟ ସଂସଦର କର୍ମକର୍ତ୍ତାମାନେ ପହଞ୍ଚି ମମିତାଙ୍କୁ ନ୍ୟାୟ ପାଇଁ ଦୀପଦାନ କରିଛନ୍ତି ।
ସେହିପରି ଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ବି ମମିତାଙ୍କ ଆତ୍ମାର ସଦଗତି ପାଇଁ ଦୀପ ଦାନ କରାଯାଇଛି । ମମିତାଙ୍କ ଆତ୍ମାର ସଦଗତି ପାଇଁ ଦୀପାବଳୀରେ ଦୀପ ଯଜ୍ଞର ଆୟୋଜନ କରାଯାଇଛି । ମମିତାଙ୍କ ପାଇଁ ଜିଲ୍ଲାର ଅଧିକାଂଶ ମାଆ, ଭଉଣୀ, ଗୃହିଣୀମାନେ ନିଜ ଘର ସମ୍ମୁଖରେ ମମିତାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଛନ୍ତି । ସହରର ବରିଷ୍ଠ ଆଇନଜୀବୀ ଶ୍ୟାମା ଓମ୍ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ଦୀପାବଳୀ ସଂଧ୍ୟାରେ ଆୟୋଜିତ ଏହି ଦୀପଯଜ୍ଞରେ ସହରବାସୀ ସାମିଲ ହୋଇଛନ୍ତି।
ନାରୀସୁରକ୍ଷା, ନାରୀ ଶସକ୍ତିକରଣ, ନାରୀଙ୍କ ସମ୍ମାନ, ନାରୀଙ୍କୁ ଆତ୍ମନିର୍ଭରଶୀଳ କରିବା ତଥା ନାରୀମାନଙ୍କୁ ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଏହି ଦୀପ ଯଜ୍ଞ ଆୟୋଜନ କରାଯାଇଥିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ