ସୁବର୍ଣ୍ଣପୁର: ଜିଲ୍ଲାରେ ବୁଣାକାରମାନଙ୍କ ଅର୍ଥନୀତିର ବିକାଶ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁରୀ ପାଟ ବସ୍ତ୍ରକୁ ଦେଶ ତଥାା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିବା ବୁଣାକାରମାନେ ଏବେ ଦିନ ମଜୁରିଆ ଭାବେ ଜୀବନ ଜିଉଁଛନ୍ତି । ଜିଲ୍ଲାର ବୟନ ଶିଳ୍ପ ବ୍ୟବସାୟୀ କେନ୍ଦ୍ରୀକ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡା ଅଭିଯୋଗ କରିଛନ୍ତି । ମାତ୍ର ବୁଣାକାରମାନେ ଜିଲ୍ଲାର ଅର୍ଥନୀତିକୁ ସୁଦୃଢ କରୁଥିବାବେଳେ ସେମାନଙ୍କର ଆର୍ଥିକ ବିକାଶ ହୋଇ ପାରୁନାହିଁ ।
ବ୍ୟବସାୟୀମାନେ ବୁଣାକାରମାନଙ୍କୁ ଏକ ପ୍ରକାର ଶୋଷଣ କରୁଥିବାବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନାହିଁ । ବୟନ ଶିଳ୍ପର ବିକାଶ ପାଇଁ ବୁଣାକାରମାନଙ୍କୁ ସିଧାସଳଖ ତନ୍ତୁବାୟ ସମବାୟ ସମିତି ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଏମାନଙ୍କ ପାଇଁ ଜିଲ୍ଲାରେ ବଜାର ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି । ଜିଲ୍ଲାରେ ଏମାନଙ୍କ ପାଇଁ ଏବେ ବଜାର ସୃଷ୍ଟି କରାଯାଇ ନ ଥିବାବେଳେ ବୟନ ଶିଳ୍ପରୁ ଉତ୍ପାଦିତ ଦ୍ରବ୍ୟ ବ୍ୟବସାୟୀମାନଙ୍କ ହାତରେ ପଡୁଛି । ଫଳରେ ବୁଣାକାର ତ ନୁହେଁ ବ୍ୟବସାୟୀମାନେ ଏହାର ଆର୍ଥିକ ଲାଭ ନେଉଛନ୍ତି ।
ତେବେ ସୁବର୍ଣ୍ଣପୁରୀ ପାଟ ବସ୍ତ୍ରର ଚାହିଦା ଦିନକୁ ଦିନ ବଢୁଥିବାବେଳେ ବୁଣାକାରମାନଙ୍କ ଆର୍ଥିକ ମେରୁଦଣ୍ଡ କିନ୍ତୁ ଦିନକୁ ଦିନ ଦୁର୍ବଳ ହେଉଛି । ଅବୋଲୀ ସୁନୀଲ ନରୱଣେ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିିବା ପରେ ସାଗରପାଲି ଗାଁର ବୁଣାକାର ଓ ସମବାୟ ସମିତି କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରି ବୟନ ଶିଳ୍ପର ସମସ୍ୟା ବୁଝିଛନ୍ତି । ଜିଲ୍ଲାପାଳ ବୁଣା ଶୈଳୀ, ରଙ୍ଗ କାମ ଓ ବିଭିନ୍ନ ଡିଜାଇନର ଶାଢୀ ପରଖିଛନ୍ତି । ତେବେ ଏହି ବୁଣାକାରମାନଙ୍କ ପାଇଁ ସ୍ଥାନୀୟ ବଜାର ସୃଷ୍ଟି କରାଗଲେ ବୁଣାକାରମାନଙ୍କ ସହିତ ଜିଲ୍ଲାର ଅର୍ଥନୈତିକ ପ୍ରଗତି ହୋଇପାରିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ