ସୁବର୍ଣ୍ଣପୁର: ଶୀତ ରାତିରେ ସ୍ବାସ୍ଥ୍ୟକର୍ମୀଙ୍କ ଅନ୍ଦୋଳନ । ସୁବର୍ଣ୍ଣପୁର ଜିଲ୍ଲା କୋଭିଡ 19 କେନ୍ଦ୍ରଗୁଡିକରେ କାର୍ଯ୍ୟକରି ଛଟେଇ ହୋଇଥିବା ମହିଳା ସ୍ବାସ୍ଥ୍ୟକର୍ମୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ନିଜର ପୁନଃ ନିଯୁକ୍ତି ଦାବି କରି ସେମାନେ ଗୁରୁବାର ସହରରେ ଶୋଭାଯାତ୍ରା କରିବା ସହିତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହି ମହିଳା ସ୍ବାସ୍ଥ୍ୟକର୍ମୀମାନେ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ଯାଇଛନ୍ତି । ସେଠାରେ ନୀରବ ବିକ୍ଷୋଭ କରିବା ସହିତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଜଣାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ହେଲେ ଦାବି ଶୁଣିବାକୁ ଉପ ଜିଲ୍ଲାପାଳ ପ୍ରଥମେ ସେମାନଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲେ । ପରେ ଡେପୁଟି କଲେକ୍ଟର ଆସି ଆଲୋଚନା କରିଛନ୍ତି । ହେଲେ ସ୍ବାସ୍ଥ୍ୟକର୍ମୀମାନେ ଅମଙ୍ଗ ହେବାରୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ମାତ୍ର ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଜିଦରେ ଅଟଳ ରହିଛନ୍ତି ।
ଜିଲ୍ଲାପାଳ ସ୍ବାସ୍ଥ୍ୟକର୍ମୀଙ୍କ ଦାବି ନ ଶୁଣିବାରୁ ଦିନ 11 ଟାରୁ ରାତି 10 ଟା ଯାଏଁ ଶୀତରେ ଥୁରୁଥୁରୁ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସେମାନେ ଧାରଣାରେ ବସିଛନ୍ତି । ଜିଲ୍ଲାପାଳଙ୍କୁ ନ ଭେଟିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସ୍ବାସ୍ଥ୍ୟକର୍ମୀମାନେ ପ୍ରଶାସନକୁ ଧମକ ଦେଇଛନ୍ତି ।
ରାଜ୍ୟରେ କୋରୋନା ମହାମାରୀରେ ତାଣ୍ଡବ ସମୟରେ ସରକାର ନାନା କୋଭିଡ 19 କେନ୍ଦ୍ର କରି ଅସ୍ଥାୟୀ ଭାବେ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ହେଲେ ଏବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ କୋଭିଡ ସେଣ୍ଟରଗୁଡିକୁ ବନ୍ଦ କରିଦିଆଯାଇଛି । ଯେଉଁ କାରଣରୁ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନେ ରୋଜଗାର ହରାଇ ହାତି ବାନ୍ଧି ବସିଛନ୍ତି । ଏଣୁ ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବାକୁ ଛଟେଇ ସ୍ବାସ୍ଥ୍ୟକର୍ମୀମାନେ ଦାବି କରୁଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ