ସୁବର୍ଣ୍ଣପୁର: ଜିଲ୍ଲାରେ ଏବେ ବି ରହିଛି ପାଟ ବସ୍ତ୍ରର ଚାହିଦା । ପାଟ ବସ୍ତ୍ରରେ ଶକଟାପର ଡିଜାଇନ କାହିଁ କେତେ ବର୍ଷ ପୁରୁଣା । ଗବେଷଣାରୁ ଜଣାଯାଏ ଅଜନ୍ତା ଏଲୋରା ଆଦି ପ୍ରାଚୀନ କିର୍ତ୍ତିରାଜିରେ ଶୋଭା ପାଉଥିବା ନୃତ୍ୟାଙ୍ଗନା ନର୍ତ୍ତକୀମାନଙ୍କ ଦେହରେ ଥାଏ ଶକଟାପର ବସ୍ତ୍ରର ଡିଜାଇନ । ଯାହା ସୁବର୍ଣ୍ଣପୁର ତଥା ପଶ୍ଚିମ ଓଡିଶାର ମହାନଦୀ କୂଳିଆ ସଭ୍ୟତାର ଅବଦାନ ବୋଲି ଗବେଷକ ଗୋରେଖନାଥ ସାହୁ ନିଜ ପ୍ରବନ୍ଧରେ ବର୍ଣ୍ଣନା କରିଛନ୍ତି ।
ତେବେ ସୁବର୍ଣ୍ଣପୁରରେ ପ୍ରସ୍ତୁତ ପାଟବସ୍ତ୍ର ଦେହରେ ଭଳିକି ଭଳି ଡିଜାଇନ ଆଜି ଖାଲି ଯେ ଦେଶରେ ନୁହେଁ ଆନ୍ତର୍ଜାତିକ ସ୍ତରରେ ମହିଳାମାନଙ୍କୁ ଆକର୍ଷିତ କରିଥାଏ । ପାଟବସ୍ତ୍ରରେ ନୂଆ ନୂଆ ଡିଜାଇନ ପ୍ରସ୍ତୁତ କରି କାରୀଗରମାନେ ରାଷ୍ଟ୍ରୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନୀତ ହୋଇଛନ୍ତି । ଅତି ନିକଟରେ ଗଣିତ ପାଟବସ୍ତ୍ର, ଜ୍ୟାମିତି ପାଟବସ୍ତ୍ର, ଭାରତ ମାନଚିତ୍ର ଓ ପ୍ରଦେଶ ମାନଚିତ୍ର ସ୍ଥାନୀତ ହୋଇଥିବା ବେଳେ ଭାରତ ପାଟବସ୍ତ୍ର ଓ ବିଭିନ୍ନ ଭାଷାରେ ମା' ଲେଖାଥିବା ପାଟବସ୍ତ୍ରର ଚାହିଦା ଗୃହିଣୀମାନଙ୍କୁ ପାଟବସ୍ତ୍ର ପ୍ରତି ବେଶ୍ ଆକର୍ଷିତ କରିପାରିଛି ।
ତେବେ କାରିଗର ମାନଙ୍କ ପୁରୁଣା ଡିଜାଇନ ଭିତରେ ଇକତ, ଡବଲ ଇକତ, ବୃକ୍ଷ ବାନ୍ଧ, ଚକ୍ର ବାନ୍ଧ , ଶକଟାପର, ଦୁଷ୍ମନ୍ତ ଶକୁନ୍ତଳା ଆଦି ପାଟବସ୍ତ୍ର ଏହି ଅଞ୍ଚଳର ଗୌରବ ବଢାଇବା ସହିତ ଏହି ଅଞ୍ଚଳର ଅର୍ଥନୈତିକ ପ୍ରଗତି ଆଣି ପାରିଛି ବୋଲି ଗବେଷକଙ୍କ ମତ । ବୁଣାକାର ମାନଙ୍କ ପାଇଁ ଦକ୍ଷତା ବୃଦ୍ଧି କରିବା ସହ ତାଲିମ ପ୍ରଦାନ କରିବା ତା ସହିତ ବଜାର ସୃଷ୍ଟି ଯୋଗୁଁ ଜିଲ୍ଲାର ଅର୍ଥନୈତିକ ବିକାଶ (Economically development) ହେବା ସହିତ ରାଜ୍ୟରେ ସୁବର୍ଣ୍ଣପୁର ଏକ ବିକଶିତ ଜିଲ୍ଲା ଭାବେ ପରିଗଣିତ ହୋଇପାରିବ ବୋଲି ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ତଥା ଲୋକ ସଂସ୍କୃତି ଗବେଷକ ଗୋରେଖନାଥ ସାହୁ ପ୍ରକାଶ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ