ସୁବର୍ଣ୍ଣପୁର: ଜିଲ୍ଲା ଡୁଙ୍ଗୁରିପାଲି ଠାରେ ରହିଛି ଏକମାତ୍ର ରେଲୱେ ଷ୍ଟେସନ । ହେଲେ ଏହି ଷ୍ଟେସନରେ ଏକ୍ସପ୍ରେସ ଗୁଡ଼ିକ ରହୁ ନ ଥିବାରୁ ଜିଲ୍ଲାବାସୀ ବରପାଲି ଓ ବଲାଙ୍ଗୀର ରେଲୱେ ଷ୍ଟେସନ ଉପରେ ନିର୍ଭର କରି ଆସୁଛନ୍ତି। ଡୁଙ୍ଗୁରିପାଲି ଠାରେ ଭାରତୀୟ ଖାଦ୍ୟ ନିଗମର ଗୋଦାମ ରହିଛି। ବହୁ ଦୂର ଦୂରାନ୍ତରୁ ଜିଲ୍ଲାକୁ ସାମଗ୍ରୀ ମାଲବାହୀ ଗାଡ଼ିରେ ଆସୁଛି । ସେହିପରି ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ସବୁ ଜିଲ୍ଲାରୁ ରେଲୱେ ମାଧ୍ୟମରେ ବାହାର ଜିଲ୍ଲାକୁ ଯାଉଛି। ତେବେ ଏହି ଷ୍ଟେସନରେ ପ୍ରାୟ ମାଲ ଗାଡି ଗୁଡ଼ିକ ରହୁଥିବା ବେଳେ କିଛି ଲୋକାଲ ଯାତ୍ରୀବାହୀ ଟ୍ରେନ ରହୁଛି।
ହେଲେ ଦୂର ଦୂରାନ୍ତକୁ ଯିବାକୁ ହେଲେ ଲୋକେ ବରପାଲି କି ବଲାଙ୍ଗୀର ଷ୍ଟେସନକୁ ଯାଇ ସେଠାରୁ ଟ୍ରେନ ଧରୁଛନ୍ତି । ଦୀର୍ଘ ଦିନରୁ ଜିଲ୍ଲାବାସୀ ଡୁଙ୍ଗୁରିପାଲି ଠାରେ ସମସ୍ତ ଦ୍ରୁତଗାମୀ ଟ୍ରେନ ଅଟକିବା ପାଇଁ ଦାବି କରି ଆସୁଛନ୍ତି । ଅଳ୍ପ ସମୟ ପାଇଁ ହେଲେ ବି ଟ୍ରେନ ଅଟକିଲେ ଯାତ୍ରୀ ମାନେ ଏହି ଷ୍ଟେସନରୁ ଗାଡି ଧରି ପାରିବେ। ଟ୍ରେନ ଅଟକିବା ପାଇଁ ଲୋକେ ଅନେକବାର ଆନ୍ଦୋଳନ ବି କରିଛନ୍ତି। ସାଂସଦ ଓ ରେଳ ବିଭାଗ ପାଖରେ ଦାବି ଉପସ୍ଥାପନ କରିଛନ୍ତି। ହେଲେ ପ୍ରତିଶୃତି ମିଳି ଥିଲେ ବି ଦ୍ରୁତଗାମୀ ଟ୍ରେନ ଏହି ଷ୍ଟେସନରେ ଅଟକୁ ନାହିଁ। ଫଳରେ ଲୋକେ ନିକଟସ୍ଥ ଷ୍ଟେସନ ଉପରେ ନିର୍ଭର କରି ହଇରାଣ ହରକତ ହେଉଛନ୍ତି । ତେବେ ଅଞ୍ଚଳବାସୀଙ୍କ ଏହି ଦାବି ପୂରଣ ନ ହେଲେ ଆଗକୁ ପୁଣି ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ