ସୁବର୍ଣ୍ଣପୁର: ବୀରମହାରାଜପୁର ବ୍ଲକ ଝାରକୁମୁଣ୍ଡା ଗାଁରେ ଜଣେ ଦାଦନ ଶ୍ରମିକଙ୍କ ଅସ୍ବାଭାବିକ ମୃତ୍ୟୁ । ଅର୍ଥ ଅଭାବରୁ ଶବ ସଂସ୍କାରରୁ ବଞ୍ଚିତ ପରିବାର ଲୋକେ । ଶ୍ରମ ବିଭାଗ ପକ୍ଷରୁ ସହାୟତା ନ ମିଳିବାରୁ ଶବ ସତ୍କାର ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ।
ସୂଚନାଯୋଗ୍ୟ, ଉକ୍ତ ଗାଁର ପୁରୁଷୋତ୍ତମ ଲୁହାଙ୍କ ଦ୍ବିତୀୟ ପୁଅ ସନତ ଲୁହା । ଗତ 2 ବର୍ଷ ଧରି ସନତ କୋଏମ୍ବାଟୁରରେ ଶ୍ରୀକ୍ରିଷ୍ଣ ମେଟା କମ୍ପାନୀରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ସେ ଟ୍ରେନ ଯୋଗେ ଘରକୁ ଆସୁଥିଲେ । ହେଲେ ଟ୍ରେନରେ ଚଢିବା ପୂର୍ବରୁ ହିଁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା ।
ଏହା ପରେ ରେଲୱେ ପୋଲିସ ପକ୍ଷରୁ ସନତଙ୍କ ଶବ ବ୍ୟବେଚ୍ଛଦ କରିବା ସହ ଘରକୁ ଖବର ପଠାଇଥିଲେ । ହେଲେ ଶବ ଆଣିବାକୁ ପ୍ରାୟ 60 ହଜାର ଟଙ୍କା ଆବଶ୍ୟକ ପଡୁଥିବା ବେଳେ ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ପରିବାର । କିନ୍ତୁ ବିଭାଗ ପକ୍ଷରୁ କୌଣସି ସହାୟତା ନ ମିଳିବାରୁ ବାଧ୍ୟ ହୋଇ ସେଠାରେ ଥିବା ସମ୍ପର୍କୀୟ ତାଙ୍କର ଶବ ସତ୍କାର କରିଥିଲେ ।
ଗତ ଶନିବାର ସନତର ମୃତ୍ୟୁ ହୋଇଥିବାବେଳେ ଏବେ ପରିବାର ଲୋକେ ତାଙ୍କର ମୃତ୍ୟୁ ପରବର୍ତ୍ତୀ ସଂସ୍କାର କାର୍ଯ୍ୟ କରୁଛନ୍ତି । ସେପଟେ, ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ବର ଖାଖା ସନତର ପରିବାର ବର୍ଗଙ୍କୁ ଆଇନ ଅନୁଯାୟୀ ସହାୟତା ଯୋଗାଇବେ ବୋଲି କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ