ସୁବର୍ଣ୍ଣପୁର: ଅସୁରକ୍ଷିତ ପ୍ରାଚୀନ ଶୈବପୀଠ ବାବା ରାମେଶ୍ବରଙ୍କ ମନ୍ଦିର । ଜିଲ୍ଲାର ବାବା ରାମେଶ୍ବରଙ୍କ ମନ୍ଦିରର ଚନ୍ଦନ ମଣ୍ଡପରେ ଫାଟ ଦେଖାଦେଇଛି । ରକ୍ଷଣାବେକ୍ଷଣା ପାଇଁ ମନ୍ଦିର କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବି କରାଯାଇଛି ।
ସୂଚନାଅନୁସାରେ, ତେଲନଦୀ ,ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରେ ଥିବା ଏହି ପ୍ରାଚୀନ ଶୈବପୀଠ ସୋନପୁର ଗଡଜାତର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ପୀଠ । ତେବେ ବୃଷଭ ମଣ୍ଡପରୁ ବର୍ଷା ଦିନରେ ପାଣି ଝରୁଥିବା ଅଭିଯୋଗ ହୋଇଛି । ତ୍ରୀବେଣୀ ସଂଗମରେ ସ୍ନାନ କରି ଶ୍ରୀ ରାମେଶ୍ବରଙ୍କ ଦର୍ଶନ କଲେ କୋଟି ଜନ୍ମର ପାପ ଧୋଇ ହୋଇ ପୂଣ୍ୟ ମିଳେ ବୋଲି ଭକ୍ତମାନଙ୍କର ବିଶ୍ବାସ ରହିଛି । ବର୍ଷସାରା ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଅନେକ ବିଶ୍ବାସର ସହିତ ବାବାଙ୍କ କୃପାଭିକ୍ଷା ପାଇଁ ଆସୁଥିବାବେଳେ ଏହା ଏବେ ଅସୁରକ୍ଷିତ ଅବସ୍ଥାରେ ରହିଛି ।
ତେବେ ଏହି ପ୍ରାଚୀନ ଶୈବପୀଠର ରକ୍ଷଣାବେକ୍ଷଣା ସହିତ ଏହାର ଶ୍ରୀବୃଦ୍ଧିରେ ଦେବୋତ୍ତର ବିଭାଗ ଅବା ଜିଲ୍ଲା ପ୍ରଶାସନର ଆନ୍ତରିକତା ନ ଥିବା ଅଭିଯୋଗ ହେଉଛି । ଗଡଜାତର ଏହି ପ୍ରାଚୀନ ଶୈବପୀଠର ଆବଶ୍ୟକ ମରାମତି ସହ ଏହାର ସୌନ୍ଦର୍ଯ୍ୟକରଣ କରାଗଲେ ଏହି ପ୍ରାଚୀନ ସଂସ୍କୃତି ବଞ୍ଚି ରହିବା ସହିତ ପର୍ଯ୍ୟଟନର ବିକାଶ ହେବା ନେଇ କହିଛନ୍ତି ମନ୍ଦିର କମିଟି ସଦସ୍ୟ ।
ଇଟିଭି ଭାରତ, ସୁବର୍ଣ୍ଣପୁର