ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ସର୍କିଟ ହାଉସ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ଯୋଗଦେଇ ପଶ୍ଚିମ ଓଡିଶାର ବିକାଶ ପାଇଁ ଦଳମତ ନିର୍ବିଶେଷରେ ସଭିଏଁ ସ୍ବର ଉତ୍ତୋଳନ କରିବା ପାଇଁ ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରିଥିଲେ ।
କେବିକେ ଅଂଚଳ ସହିତ କନ୍ଧମାଳକୁ ନେଇ ଏକ ସ୍ବୟଂ ସଂପୂର୍ଣ୍ଣ ପରିଷଦ ଗଠନ, ପଶ୍ଚିମ ଓଡିଶାର ଯେକୌଣସି ଜାଗାରେ ଭୌଗୋଳିକ ଦୃଷ୍ଟିକୁ ଆଧାର କରି ମିନି ରାଜଧାନୀ ପ୍ରତିଷ୍ଠା କରିବା ପାଇଁ ନିଜର ପକ୍ଷ ରଖିଥିଲେ । ଏହାସହ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ,ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ ପ୍ରତିଷ୍ଠା , ଆଦି ଦାବି କରିବା ପାଇଁ ବୁଦ୍ଧିଜୀବୀମାନଙ୍କୁ ଆହ୍ବାନ ଦେଇଥିଲେ । ବୁଦ୍ଧିଜୀବୀମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇଥିଲେ ।
ଏହି ସମ୍ମିଳନୀରେ ପୂର୍ବତନ ବିଧାୟକ ରବି ନାରାୟଣ ପାଣିଗ୍ରାହୀ ,ପୂର୍ବତନ ବିଧାୟକ ବିନୋଦ ପାତ୍ର ପ୍ରମୁଖ ଯୋଗଦେଇ ଦଳମତ ନିର୍ବିଶେଷରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରିବା ପାଇଁ କହିଥିଲେ । ଏହାସହ ଏହି ସମ୍ମିଳନୀରେ ସହରର ଅନେକ ଆଇନଜୀବୀ, ବୁଦ୍ଧିଜିବୀ, ବିଭିନ୍ନ ସଂଘର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ