ସୁବର୍ଣ୍ଣପୁର: ସଦର ପୌର ପରିଷଦ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବାରେ ବିଫଳ ହୋଇଥିବା ଅଭିଯୋଗ । ପାନୀୟ ଜଳ ଯୋଗାଇ ଦେବା ପାଇଁ ସହରରେ 18 ଗୋଟି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ତିଆରି କରାଯାଇଛି । କିନ୍ତୁ ତାହା ଏବେ ଥଣ୍ଡା ପାନୀୟ ଯୋଗାଇବାରେ ବିଫଳ ହୋଇଛି । ଜନଗହଳିପୂର୍ଣ୍ଣ ସ୍ଥାନ କଚେରୀ ଛକ, ବସଷ୍ଟାଣ୍ଡ ,ମଙ୍ଗଳବାର ବଜାର, ତହସିଲ କାର୍ଯ୍ୟାଳୟ ଆଦି ସ୍ଥାନରେ ଏହା ରହିଛି । ହେଲେ ପ୍ରକଳ୍ପର ମେସିନ ମରାମତି କରାଯାଉ ନ ଥିବାବେଳେ ଟାଙ୍କି ସଫା କରାଯାଉନାହିଁ । ଫଳରେ ପ୍ରକଳ୍ପର ମେସିନ ଚାଲୁ ନ ଥିବାରୁ ପ୍ରକଳ୍ପରୁ ଗରମ ପାଣି ବାହାରୁଛି ।
ପ୍ରକଳ୍ପ ପାଣିଟାଙ୍କିକୁ ସଦା ସର୍ବଦା ପାଣି ଯୋଗାଇ ଦିଆଯାଉ ନଥିବାରୁ ପାଣି ଘଣ୍ଟେ ଦୁଇ ଘଣ୍ଟା ପରେ ବନ୍ଦ ବି ହୋଇ ଯାଉଛି । ପ୍ରତିଟି ପ୍ରକଳ୍ପରେ 500 ଲିଟର ପାଣି ଟାଙ୍କି ଲଗାଯାଇଛି । କିନ୍ତୁ ଯାହା ଅନୁନ୍ୟ ୧୫ଶହରୁ ଦୁଇ ହଜାର ଲିଟର ପାଣି ଟାଙ୍କିର ଆବଶ୍ୟକତା ରହିଛି । ବର୍ଷ ବର୍ଷ ଧରି ଟାଙ୍କି ସଫା କରାଯାଉ ନ ଥିବାରୁ ମଇଳା ଜମା ରହିଛି ।
ତେବେ ପ୍ରଚଣ୍ଡ ଗ୍ରୀଷ୍ମରେ ହଜାର ହଜାର ଲୋକ ବିଭିନ୍ନ ସରକାରୀ କାର୍ଯ୍ୟରେ ସଦର ମହକୁମାକୁ ଆସୁଥିବା ବେଳେ ଜନସାଧାରଣ ପିଇବା ପାଣି ଟିକିଏ ପାଇଁ ହନ୍ତସନ୍ତ ହେଉଛନ୍ତି । ଏ ଦିଗରେ ପୌର ପରିଷଦ ଦୃଷ୍ଟି ଦେବା ପାଇଁ ଦାବି ହେଉଥିବା ବେଳେ ପୌର ପରିଷଦ କର୍ତ୍ତୃପକ୍ଷ ପ୍ରକଳ୍ପ ଗୁଡିକର ମେସିନ ମରାମତି କରାଯାଇଥିବା କହିଛନ୍ତି । ମେସିନ ଟାଙ୍କିରେ ମଇଳା ସଫା କରିବା ଓ ପାଣି ଟାଙ୍କିର ଜଳଧାରଣ କ୍ଷମତା ଉପରେ ବିଚାର କରାଯାଉଥିବା ସୂଚନା ମିଳିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ