ସୁବର୍ଣ୍ଣପୁର: ଆଜି(ରବିବାର) ସୋନପୁର ଥାନାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କତ୍ତୃପକ୍ଷଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ବିଜେପିର ବରିଷ୍ଠ ନେତା ତଥା ବରିଷ୍ଠ ଓକିଲ ବଳଦେବ ବେଦବାକ, ଶ୍ରଦ୍ଧାଞ୍ଜଳି ମିଶ୍ର, କେଶରୀଆ ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ବ୍ୟାସଦେବ ମିଶ୍ର, ସମାଜ ସେବୀ ସୁରେଶ ପାତ୍ର ପ୍ରମୁଖ ସୋନପୁର ଥାନାକୁ ଯାଇ ଏକ ଏତଲା ପତ୍ର ଦାଖଲ କରିଥିଲେ।
ଏତଲାରୁ ଜଣାପଡ଼ିଛି ଯେ, ଗତବର୍ଷ ପିଏମ କେୟାର ଫଣ୍ଡରୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଏକାଧିକ ରୋଗୀଙ୍କ ଜୀବନ ରକ୍ଷାକାରି ଭେଣ୍ଟିଲେଟର ପ୍ରଦାନ କରାଯାଇଥିଲା । ହେଲେ ଏକ ବର୍ଷ ହେଲା ଉକ୍ତ ଭେଣ୍ଟିଲେଟର ଗୁଡ଼ିକୁ କର୍ତ୍ତୃପକ୍ଷ ଜାଣିଶୁଣି ଅବହେଳା କରି ସ୍ଥାପନ କରି ନଥିଲେ। କର୍ତ୍ତୃପକ୍ଷ ଜାଣିଥିଲେ ଯେ, ଏହି ଭେଣ୍ଟିଲେଟର ସ୍ଥାପନ କରାନଗଲେ ରୋଗୀମାନେ ଭେଣ୍ଟିଲେଟର ନପାଇ ଅକାଳ ମୃତ୍ୟୁମୁଖରେ ପଡିବେ।
ଏବେ ଶହ ଶହ କୋଭିଡ ଓ ଅନ୍ୟାନ୍ୟ ରୋଗୀ ଏହି ସୁବିଧା ନପାଇ ମୃତ୍ୟୁମୁଖରେ ପଡିଛନ୍ତି। ଏଣୁ ତାଙ୍କର ମୃତ୍ୟୁ ପାଇଁ କର୍ତ୍ତୃପକ୍ଷ ଦାୟୀ ବୋଲି ଅଭିଯୋଗ କରାଯାଇଛି। ଭାରତ ପିଙ୍ଗଳ ଧାରାର ୩୦୪ ଅନୁସାରେ ଏହି କେସକୁ ରେଜେଷ୍ଟ୍ରି କରି ଦୋଷୀ ଅଧିକାରୀଙ୍କୁ ଗିରଫ କରିବାକୁ ବଳଦେବ ବେଦବାକ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ