ସୁବର୍ଣ୍ଣପୁର: ଖରିଫ ଋତୁ ଚାଷ ପାଇଁ ଆବଶ୍ୟକ ଥିବା ସାରର ବ୍ୟାପକ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଅଣଋଣୀ ଚାଷୀମାନଙ୍କୁ ସରକାରୀ ଦର ଧାର୍ଯ୍ୟ ଅନୁଯାୟୀ ଔଷଧ ଓ ସାର ମିଳୁନଥିବାବେଳେ ବଜାରରୁ ଚଢା ଦରରେ କାଦୁଅ ସାର ଓ ୟୁରିଆ ସାର କିଣୁଛନ୍ତି । ଫଳରେ ଚାଷୀଙ୍କ ମଧ୍ୟରେ ଅଷନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲାର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିକୁ ରାସାୟନିକ ସାର ଯୋଗାଇ ଦିଆଯାଇଛି ।
ଏପରିକି ପ୍ରାୟ 200 ଜଣ ସାର ଡିଲରଙ୍କୁ ରାସାୟନିକ ସାର ବିକ୍ରି କରିବା ପାଇଁ କୃଷି ବିଭାଗ ପକ୍ଷରୁ ଲାଇସେନ୍ସ ପ୍ରଦାନ କରାଯାଇଛି । ହେଲେ ଅଣଋଣୀ ଚାଷୀମାନଙ୍କୁ କୃଷି ସମବାୟ ସମିତିରୁ ସରକାରୀ ଧାର୍ଯ୍ୟ ଦରରେ ସାର ଯୋଗାଇ ଦିଆ ଯାଉନାହିଁ । ସେପଟେ ଆବଶ୍ୟକ ପରିମାଣର ସାର ଜିଲ୍ଲାକୁ ଆସୁ ନଥିବାବେଳେ, ଘରୋଇ ଡିଲରମାନେ ସାର ମହଜୁଦ ରଖୁଛନ୍ତି । ତେଣୁ ବଜାରରେ ସାରର କୃତ୍ରିମ ଅଭାବ ଦେଖା ଦେଇଛି ।
ଅନ୍ୟପଟେ ମାର୍କଫେଡ ପକ୍ଷରୁ ଆବଶ୍ୟକ ପରିମାଣର ସାର ଯୋଗାଇ ଦିଆଯାଉଥିବା ଜିଲ୍ଲା ଉପକୃଷି ନିର୍ଦ୍ଦେଶକ କହିଛନ୍ତି । ସାର କଳାବଜାର ଉପରେ କୃଷି ବିଭାଗର ତୀକ୍ଷଣ ନଜର ରହିଛି ଏବଂ କଳାବଜାର ରୋକିବା ପାଇଁ କୃଷି ବିଭାଗର ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ନିର୍ଦ୍ଦେଶକ କହିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର