ସୁବର୍ଣ୍ଣପୁର: ଅହେତୁକ ଦରଦାମ ବୃଦ୍ଧି ନେଇ ରାଜରାସ୍ତାକୁ ଓହ୍ଲାଇଲା ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ। ସୁବର୍ଣ୍ଣପୁର ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ବେଚ୍ଛାସେବୀ ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଶତାଧିକ କାର୍ଯ୍ୟକର୍ତ୍ତା ବିଜୁ ପଟ୍ଟନାୟକ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଦେଶରେ 5 ବିଧାନସଭା ନିର୍ବାଚନ ପରେ କେନ୍ଦ୍ର ସରକାର ସମସ୍ତ ସାମଗ୍ରୀର ଦର ବୃଦ୍ଧି କରିଥିବା ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଗତ 5 ଦିନ ଭିତରେ ଏଲପିଜି ଗ୍ୟାସ ପିଛା 50 ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ପେଟ୍ରୋଲ ,ଡିଜେଲ ଦର ବୃଦ୍ଧି ସାଙ୍ଗକୁ ଖାଇବା ତେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ଅଭିଯୋଗ କରିଛନ୍ତି । ଦର ବୃଦ୍ଧି ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇ ପଡ଼ିଛନ୍ତି। ହେଲେ କେନ୍ଦ୍ର ସରକାର ଜାଳେଣୀ ଗ୍ୟାସ ଉପରେ ଦେଉଥିବା ସବସିଡିକୁ ମଧ୍ୟ ହ୍ରାସ କରିଥିବା ଅଭିଯୋଗ ହୋଇଛି । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଦରଦାମ ନିୟନ୍ତ୍ରଣକୁ ଆଣିବା ପାଇଁ ଦାବି କରାଯାଇଛି। ଏଥିସହ ଦରଦାମ ନିୟନ୍ତ୍ରଣ କରିବାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଞ୍ଚ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ