ସୁବର୍ଣ୍ଣପୁର: ଚଳିତ ବର୍ଷ ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା ପରମ୍ପରାରେ ପଡିବ ପୂର୍ଣ୍ଣଛେଦ । ଏହି ପରମ୍ପରାରେ ଭୂ-ସମ୍ପତ୍ତି ଭୋଗ ଦଖଲ କରୁଥିଲେ ହେଁ ସେବାୟତ ବଳିଯାତ୍ରାରେ ସାମିଲ ହେବାକୁ ଅମଙ୍ଗ ହେଉଛନ୍ତି । ପରମ୍ପରାକ୍ରମେ ବଳି କାର୍ଯ୍ୟ ସମ୍ପାଦନ କରିବାକୁ ଜଣେ ସେବାୟତ 50 ହଜାର ଟଙ୍କା ଦାବି କରିଛନ୍ତି । ଦୀର୍ଘ ପନ୍ଦର ଦିନ ଧରି ପାଳିତ ହେଉଥିବା ଏହି ଯାତ୍ରାରେ 36ଟି ସମ୍ପ୍ରଦାୟର ସେବାୟତ ସାମିଲ ହୋଇଥାନ୍ତି । ହେଲେ ବିଶେଷକରି ବଳିଯାତ୍ରାରେ ଡଙ୍ଗୁଆ ବଳି କାର୍ଯ୍ୟ ପାଇଁ ସେବାୟତ ବେଶ ଅଧିକ ଅର୍ଥ ଦାବି କରୁଛନ୍ତି ।
ବଳିଯାତ୍ରା କମିଟି ପକ୍ଷରୁ ଆୟୋଜିତ ବୈଠକରେ ଏହି ନିର୍ଦ୍ଧିଷ୍ଟ ପ୍ରକାରର ସେବାୟତଙ୍କୁ ଗତ ବର୍ଷ ପରି ଏଥର ବି ସେବା କାର୍ଯ୍ୟ କରିବା ପାଇଁ କୁହାଯାଇଥିଲା । ହେଲେ ସେବାୟତ ଅଧିକ ଅର୍ଥ ଦାବି କରିଥିଲେ । ଫଳରେ ଏଥର ବଳିଯାତ୍ରା ପରମ୍ପରାରେ ବ୍ୟାଘାତ ସୃଷ୍ଟି ହେବା ନିଶ୍ଚିତ ହୋଇଯାଇଛି । କେବଳ ବଳି ନୀତି କାର୍ଯ୍ୟ କରିବା ପାଇଁ ଯାତ୍ରା କମିଟି ନିଷ୍ପତ୍ତି ନେଇଛି ।
ସେବାୟତମାନେ ରାଜା ରାଜୁଡା ଅମଳରୁ ଭୂ-ସମ୍ପତ୍ତି ଭୋଗ ଦଖଲ କରୁଛନ୍ତି। ସକମା ଗାଁରେ ଥିବା 500 ଏକର ଜମି ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ସେବାୟତ । ହେଲେ ଆଜକୁ 15 ବର୍ଷରୁ ଅଧିକ ହେଲା ସେବା ପୂଜା କରୁନାହାଁନ୍ତି । କିଛି ସେବାୟତ ଦେବୀଙ୍କ ସେବା କରି ପୂଜା କରୁଥିବା ବେଳେ ବଳି ଯାତ୍ରା ପାଇଁ ବହୁ ଅର୍ଥ ଦାବି କରୁଛନ୍ତି ।
ଦେବୋତ୍ତର ବିଭାଗ କିଣା ସେବାୟତଙ୍କୁ ନେଇ ଏଯାଁଏ ବଳି କାର୍ଯ୍ୟ ସମ୍ପନ୍ନ କରି ଆସୁଛି । ହେଲେ ଅର୍ଥର ଅଭାବ ଓ ସେବାୟତ ଅମଙ୍ଗ ଯୋଗୁଁ ଏଥର ସହରର ଐତିହାସିକ ବଳିଯାତ୍ରା ବନ୍ଦ ହେବା ନିଶ୍ଚିତ ହୋଇଛି । ସେପଟେ ଦେବୋତ୍ତର ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେବାୟତଙ୍କୁ ବଳିରେ ସାମିଲ ହେବାକୁ ଅନୁରୋଧ କରିଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ