ସୁବର୍ଣ୍ଣପୁର: ଆଉ ଦୁଇ ଦିନ ପରେ ମହାଳୟା । ସୋନପୁର ଗଡଜାତରେ ଐତିହାସିକ ବଳିଯାତ୍ରା ପର୍ବ ଆରମ୍ଭ ହେବାକୁ ଥିବାବେଳେ ଏବେ ଠୁ ଉତ୍ସବମୁଖର ହୋଇଉଠିଛି ଅଷ୍ଟଚଣ୍ଡୀଙ୍କ ପୀଠ । ହେଲେ ଏଥର ବି ଦେବୋତ୍ତର ବିଭାଗ ସେବାୟତଙ୍କୁ ବଳୀଯାତ୍ରା ପାଳନରେ ସାମିଲ ହେବା ପାଇଁ ମନାଇବାରେ ବିଫଳ ହୋଇଛି । ରାଜାରାଜୁଡା ଅମଳରୁ ହଜାର ହଜାର ଏକର ଭୂସମ୍ପତ୍ତି ସେବାୟତ ଭୋଗ ଦଖଲ କରୁଥିବା ସତ୍ତ୍ବେ ବଳୀଯାତ୍ରା ସମୟରେ ସେବାୟତମାନଙ୍କ ଅସହଯୋଗ ଏହି ପର୍ବକୁ ମଳିନ କରିଛି।
ବିଶେଷକରି ସକମା ଗାଁର ସେବାୟତମାନେ ଆଜକୁ ଦଶନ୍ଧିରୁ ଅଧିକ ହେଲା ଦେବୀଙ୍କ ସେବାପୂଜା କରୁ ନାହାନ୍ତି କି ବଳିଯାତ୍ରା ପାଳନରେ ସାମିଲ ହେଉ ନାହାନ୍ତି । ରାଜା ରାଜୁଡା ଅମଳରୁ ପ୍ରାୟ 495 ଏକର ଭୂସମ୍ପତ୍ତି ସେବାୟତମାନେ ଭୋଗ ଦଖଲ କରି ଆସୁଛନ୍ତି । ହେଲେ ବଳିଯାତ୍ରା ପର୍ବରେ ସେବାୟତମାନେ ସାମିଲ ହେଉ ନାହାନ୍ତି । ଫଳରେ ଅନ୍ୟ ସେବାୟତମାନଙ୍କୁ ପାରିଶ୍ରମିକ ଦେଇ ଏହି ବଳୀକାର୍ଯ୍ୟ ସମ୍ପନ୍ନ ହୋଇଆସୁଛି।
ଏଥର ବି ଦେବୋତ୍ତର ବିଭାଗ ପକ୍ଷରୁ ସେବାୟତମାନଙ୍କୁ ମନାଇବା ପ୍ରୟାସ ଫେଲ ମାରିଛି । ଗଡଜାତରେ ଚୌହାନ ବଂଶର ରାଜତ୍ବ କାଳରୁ ଦେବୋତ୍ତର ଭୂସମ୍ପତ୍ତି ପଟ୍ଟାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି ଯେତେ ଦିନ ପର୍ଯ୍ୟନ୍ତ ସେବାୟତମାନେ ଦେବୀଙ୍କ ସେବାପୂଜା ଓ ବଳୀଯାତ୍ରା କାର୍ଯ୍ୟ ସମ୍ପାଦନ କରୁଥିବେ ସେତେଦିନ ଯାଏଁ ସେମାନେ ଏହି ଭୂସମ୍ପତ୍ତିର ଭୋଗ ଦଖଲର ଅଧିକାର ପାଇବେ। ତେବେ ସେବାୟତମାନେ ବର୍ତ୍ତମାନ ସୁଦ୍ଧା ଭୁସମ୍ପତ୍ତି ଭୋଗ କରିଆସୁଥିଲେ ସୁଦ୍ଧା, ଠାକୁରାଣୀଙ୍କ ସେବା ପୂଜା କିମ୍ବା ପର୍ବପର୍ବାଣୀରେ ସାମିଲ ହେଉନାହାନ୍ତି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ତେବେ ଏପରି ଅସହଯୋଗ କରୁଥିବା ସେବାୟତମାନଙ୍କ ଉପରେ ଦେବୋତ୍ତର ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ବରୁପ ସେମାନେ ଭୋଗ ଦଖଲ କରୁଥିବା ସମ୍ପତ୍ତି ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବାକୁ ସହରବାସୀ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ