ସୁବର୍ଣ୍ଣପୁର: ସୁବଳୟା ପ୍ରାଣୀ ଚିକିତ୍ସା ଅଧିକାରୀ ଆଜି (ମଙ୍ଗଳବାର) ଜଣେ ଚାଷୀଙ୍କ ପାଖରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଲ୍ଲା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବଡ ଖମାରର ଭୀମଭୋଇ ଦୁଗ୍ଧ ଉତ୍ପାଦନ କେନ୍ଦ୍ରର ଜଣେ ସଭ୍ୟ ଲକ୍ଷ୍ମଣ ମହାକୁର ଏକ ଗୁହାଳ ରିପୋର୍ଟ ପାଇଁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ବୀରମହରାଜପୁର ବିଡ଼ିଓ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ କହିଥିଲେ । ହେଲେ ଲକ୍ଷ୍ମଣଙ୍କୁ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରିୟବ୍ରତ ବେହେରା ପାଞ୍ଚ ହଜାର ଟଙ୍କା ଦେଲେ ରିପୋର୍ଟ ଦିଆଯିବ ବୋଲି କହିଥିଲେ ।
ତେବେ ଗରିବ ଚାଷୀ ଲକ୍ଷ୍ମଣ ଉପାୟ ଶୂନ୍ୟ ହୋଇ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କଥାରେ ରାଜି ହୋଇ ଜିଲ୍ଲା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଜି ଚିକିତ୍ସାଧିକାରୀ ପ୍ରିୟବ୍ରତ ଚାଷୀ ଲକ୍ଷ୍ମଣଙ୍କ ପାଖରୁ ପାଞ୍ଚ ହଜାର ଟଙ୍କା ନେବା ପରେ ଭିଜିଲାନ୍ସ କର୍ମଚାରୀମାନେ ଲାଞ୍ଚୁଆ ଅଧିକାରୀଙ୍କୁ କାବୁ କରି ନେଇଥିଲେ । ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରିୟବ୍ରତଙ୍କ ନାଁରେ ଭିଜିଲାନ୍ସ ବିଭାଗ ଏକ ଲାଞ୍ଚ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ କରୁଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ