ସୁବର୍ଣ୍ଣପୁର: ପ୍ରେମ ସତ୍ୟ, ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ । ପ୍ରେମ କେତେବେଳେ କାହାକୁ କେଉଁ ପରିସ୍ଥିତିରେ ହୋଇଯାଏ ତାହା ଅଜଣା । କିନ୍ତୁ ମନର ମଣିଷକୁ ଖୋଜି ପାଇଥାଏ ଏକ ସ୍ବଚ୍ଛ ହୃହୟ । ପ୍ରେମକୁ ନେଇ କେତେ କାହାଣୀ କେତେ କବିତା । ପ୍ରେମକୁ ଜୀବନ୍ତ ରଖିବା କେଉଁଠି ପ୍ରେମିକ ଦେଇଛି ପ୍ରେମିକାକୁ ଉପହାର ତ କେଉଁଠି ପ୍ରେମର ଅମର ସ୍ମୃତିରେ କିଏ ଗଢିଛି ପ୍ରେମ ମନ୍ଦିର। ଏମିତି ଏକ ଶାଶ୍ବତ ପ୍ରେମକୁ ନେଇ ସୁବର୍ଣ୍ଣପୁରରେ ଏକ କାହାଣୀ ରହିଛି । ଯେଉଁ ପ୍ରେମର ସ୍ମାରକୀ ସହରର ନିମୁହିଁ ଦେଉଳ । ଶବର ରାଜକୁମାର ଅହିମାଣିକ୍ୟ ଓ ଅମରାବତୀ ରାଜକୁମାରୀ ଶଶୀସେଣାଙ୍କ ଅମର ପ୍ରେମକୁ ନେଇ ରହିଛି ଏଇ ସ୍ବର୍ଣ୍ଣିମ ସ୍ମାରକୀ । ଯାହା ବିଶ୍ବବାସୀଙ୍କୁ ସବୁ ସମୟରେ ଦେଇ ପାରିଛି ପ୍ରେମ ପ୍ରଣୟର ବାର୍ତ୍ତା ।
ଶବର ରାଜକୁମାର ଅହିମାଣିକ୍ୟ ଅମରାବତୀର ରାଜା ବିକ୍ରମ କେଶରୀଙ୍କ କନ୍ୟା ରାଜକୁମାରୀ ଶଶୀସେଣାଙ୍କ ମଧ୍ୟରେ ଥିଲା ଅନାବିଳ ପ୍ରେମର ସଂପର୍କ । କିନ୍ତୁ ଦୁହେଁଙ୍କ ମଧ୍ୟରେ ତନ୍ତ୍ର ସାଧିକା ଜ୍ଞାନଦେଇ ସାଜିଥିଲେ ବାଧକ । ଶବର ରାଜକୁମାର ଅହିମାଣିକ୍ୟର ରୂପ ଯୌବନରେ ପାଗଳ ହୋଇଥିଲେ ଜ୍ଞାନଦେଇ । ନିଜ କାମବାସନାକୁ ଚରିତାର୍ଥ କରିବା ପାଇଁ ରାଜକୁମାର ଅହିମାଣିକ୍ୟଙ୍କ ଉପରେ କରୁଥିଲା ତନ୍ତ୍ରର ପ୍ରୟୋଗ । ତନ୍ତ୍ର ପ୍ରୟୋଗ ବଳରେ ଜ୍ଞାନଦେଇ ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା କରି ନିଜ କାମବାସନାକୁ ଚରିତାର୍ଥ କରୁଥିଲା । ହେଲେ ରାଜକୁମାରୀ ଶଶୀସେଣା ନିଜ ପ୍ରେମିକ ଅହିମାଣିକ୍ୟକୁ ଉଦ୍ଧାର କରିବା ପାଇଁ ମା ଭଗବତୀଙ୍କୁ ପ୍ରାର୍ଥନା କରିଥିଲେ । ତାନ୍ତ୍ରିକ ଜ୍ଞାନଦେଇଙ୍କ କବଳରୁ ମୁକ୍ତି କରିଥିଲେ ନିଜ ପ୍ରେମିକ ରାଜକୁମାର ଅହିମାଣିକ୍ୟଙ୍କୁ ।
ମା ଭଗବତୀଙ୍କ କରୁଣାରୁ ସେଦିନ ରାଜକୁମାରୀ ଶଶୀସେଣା ଓ ରାଜକୁମାର ଅହିମାଣିକ୍ୟ ଭିତରେ ଥିବା ଶାଶ୍ବତ ପ୍ରେମର ବିଜୟ ହୋଇଥିଲା । ସେଦିନ ରାଜଦଣ୍ଡ ଭୟରେ ଅମରାବତୀରୁ କାମାନ୍ତପୁର ଏବେକାର ସୁବର୍ଣ୍ଣପୁରକୁ ପଳେଇ ଆସିଥିବା ରାଜକୁମାର ଓ ରାଜକୁମାରୀ । ଏହାପରେ ସେଠାରେ ପ୍ରେମର ସ୍ମାରକୀ ଭାବେ ତିଆରି ହୋଇଛି ଶଶୀସେଣା ମନ୍ଦିର । ଅନାବିଳ ପ୍ରେମର ସ୍ମୃତି ମନ୍ଦିର ଗାତ୍ରରେ ବହନ କରିଥିବା ଏହି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରଟିର ପ୍ରବେଶ ଦ୍ବାର ନ ଥିବାରୁ ଏହା ନିମୁହିଁ ଦେଉଳ ଭାବରେ ବେଶ ପରିଚିତ । ଆଜି ପ୍ରେମ ଦିବସରେ ଏହି ମନ୍ଦିରକୁ ଦେଖିଲେ ରାଜକୁମାର ଅହିମାଣିକ୍ୟ ଓ ରାଜକୁମାରୀ ଶଶୀସେଣାଙ୍କ ଭିତରେ ଥିବା ଅନାବିଳ ଓ ଶାଶ୍ବତ ପ୍ରେମ ମନେପଡିଯାଏ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ