ସମ୍ବଲପୁର: ପୁଣି ବିବାଦରେ ବୁର୍ଲା ମେଡ଼ିକାଲ। ଏଥର ଚିକିତ୍ସିତ ହେଉଥିବା ଜଣେ ଯୁବତୀଙ୍କୁ ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଦେବାର ଅଭିଯୋଗ ହୋଇଛି। ପୁଣି ବୁର୍ଲା ବଡ଼ ମେଡ଼ିକାଲରେ ଡାକ୍ତରଙ୍କ ତ୍ରୁଟିପୂଣ୍ଣ ଚିକିତ୍ସାର ଅଭିଯୋଗ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଥର ଚିକିତ୍ସା ପାଇଁ ଇଏନଟି ବିଭାଗକୁ ଆସିଥିବା ଜଣେ ଯୁବତୀଙ୍କ ଓଠରେ ଡାକ୍ତର ଇଞ୍ଜେକସନ ଦେଇଥିଲେ । ଏହା ପରେ ଯୁବତୀଙ୍କ ଓଠରୁ ନେଇ ମୁହଁ ପର୍ଯ୍ୟନ୍ତ କଳା ପଡିଯାଇ ମାଂସ ପଚିଯିବା ପରି ପରିସ୍ଥିତି ହୋଇଛି।
ମିଳିଥିବା ସୂଚନା ମୁତାବକ, ଗତ ୨୨ ତାରିଖରେ ବୁର୍ଲା ଅଞ୍ଚଳର ଜଣେ ଯୁବତୀ ପାଟିରେ ହୋଇଥିବା ବଥର ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ବୁର୍ଲା ମେଡ଼ିକାଲ ଇଏନଟି ବିଭାଗରେ ତାଙ୍କର ଓଠ ତଳ ପାର୍ଶ୍ବରେ ଏକ ଇଞ୍ଜେକସନ ଦିଆଯାଇଥିଲା । ଏହାପରେ ଏହି ଇଞ୍ଜେକସନ ପ୍ରତିକ୍ରିୟା ହୋଇଯିବାରୁ ତାଙ୍କର ମୁହଁ କଳା ହୋଇଯାଇଥିଲା।
ଏହା ପରେ ଯୁବତୀ ଜଣକ ଗୁରୁତର ଅସୁସ୍ଥ ହୋଇଯାଇଥିଲେ। ଏନେଇ ବୁର୍ଲା ବଡ଼ ମେଡ଼ିକାଲର ଅଧିକ୍ଷକ କହିଛନ୍ତି ଯେ ଇଞ୍ଜେକସନର ପ୍ରତିକ୍ରିୟା ଯୋଗୁଁ ଏମିତି ହୋଇ ଥାଇପରେ। ଏନେଇ 4 ଜଣିଆ ଡାକ୍ତରୀ ଦଳ ତଦନ୍ତ କରିବେ ଓ ଆବଶ୍ୟକ ହେଲେ ଯୁବତୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ସ୍ଥାନାନ୍ତର କରାଯିବ ବୋଲି ବୁର୍ଲା ମେଡ଼ିକାଲର ଅଧିକ୍ଷକ ଜୟଶ୍ରୀ ଦୋରା କହିଛନ୍ତି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ବୁର୍ଲା ମେଡ଼ିକାଲରେ ବାରମ୍ବାର ଏମିତି ତ୍ରୁଟି ପୂର୍ଣ୍ଣ ଚିକିତ୍ସା କଣ ପାଇଁ ସାମ୍ନାକୁ ଆସୁଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ