ସମ୍ବଲପୁର: ପୁରୀରେ ଫଣା ଟେକିଲା 'ଫନି'। କିଛି ଘଣ୍ଟାର କରାଳ ରୂପ ଛାରଖାର କରିଦେଲା ସମଗ୍ର ଜିଲ୍ଲାକୁ। ସର୍ବଦା ଜନଗହଳି ଲାଗିରହୁଥିହା ଏହି ସୌନ୍ଦର୍ଯ୍ୟମୟ ସହରର ଚାଲିଯାଇଛି ପୁରୁଣା ଅସ୍ତିତ୍ବ । ଫନି ଯିବାପରେ ଏଠାରେ କେବଳ ଦୁଃଖ ହିଁ ଦୁଃଖ । ଏନେଇ ବିଭିନ୍ନ ସଂସ୍ଥା ଓ ସ୍ବେଚ୍ଛାସେବୀ ସହଯୋଗର ହାତ ବଢାଇ ଜିଲ୍ଲାରେ ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରୁଛନ୍ତି ।
ଏସବୁ ଭିତରେ ତଟବର୍ତ୍ତୀ ଜିଲ୍ଲାରେ ହୋଇଥିବା ଫନି ବାତ୍ୟା ପ୍ରଭାବିତ ଗରିବ ମହିଳାଙ୍କ ସମସ୍ୟାକୁ ଭଲ ଭାବେ ବୁଝିପାରିଛନ୍ତି ସମ୍ବଲପୁରର ଜଣେ ସହୃଦୟ ମହିଳା । ସେ ଗରିବ ମହିଳାଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି।
ଦେଶ ତଥା ରାଜ୍ୟର ବିଭିନ କୋଣ ଅନୁକୋଣରୁ ରିଲିଫ ସାମଗ୍ରୀ ପଠାଯାଉଥିବା ବେଳେ ଏହି ମହିଳା ଜଣକ ବାତ୍ୟା ପ୍ରଭାବିତ ଗରିବ ମହିଳାଙ୍କ ପାଇଁ ନିଜ ଉଦ୍ୟମରେ (50 ପ୍ୟାକେଟ) ସାନିଟାରୀ ନାପକୀନ ପଠାଇଛନ୍ତି। ଜିଲ୍ଲା ପ୍ରଶାସନ ଓ ରେଡ଼କ୍ରସ ସହାୟତରେ ସେ ଏହି ଉଦ୍ୟମ କରିଥିବାରୁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯିବ ସହ ବହୁ ସହାୟତାର ହାତ ବଢିଥିବାର ସେ ସୂଚନା ଦେଇଛନ୍ତି।
ଏହି ସହୃଦୟ ମହିଳା ଜଣକ ହେଲେ ସମ୍ବଲପୁରର ସାନ୍ତା ପଣ୍ଡା। ସେ ସମ୍ବଲପୁର ବୁଢାରାଜା ସ୍ଥିତ ଏସଆରଆଇଟି କଲୋନୀରେ ଏକ ବୁଟିକ କରିବା ସହ ଗରିବ ଯୁବତୀ ମାନଙ୍କୁ ବିଭିନ୍ନ ପ୍ରକାରର ଡ୍ରେସ ଡ଼ିଜାଇନିଂର ଟ୍ରେନିଂ ଦେଇ ସ୍ୱାବଲମ୍ବୀ କରିବା ସହ ନିଯୁକ୍ତି ମଧ୍ୟ ଦେଇଛନ୍ତି।
ପୂର୍ବରୁ ସେ ବିଦେଶରେ ଚାକିରୀ କରୁଥିବା ବେଳେ ଗତ କିଛି ବର୍ଷ ହେଲା ନିଜ ସ୍ୱାମୀଙ୍କ ସହ ସମ୍ବଲପୁର ଆସି ବ୍ୟବସାୟ କରିବା ସହ ସମାଜସେବା କରୁଛନ୍ତି। ଆଉ ବର୍ତ୍ତମାନ ବନ୍ୟା ପ୍ରଭାବିତ ମହିଳାଙ୍କ ପାଇଁ ସାନ୍ତାଙ୍କ ସହାୟତାର ଏହି ଉଦ୍ୟମ ଦେଖି ସମସ୍ତେ କହୁଛନ୍ତି ଯେ ଜଣେ ମହିଳାର ସମସ୍ୟା ଓ ତା ମନର କଥାକୁ ଜଣେ ସହୃଦୟ ମହିଳା ହିଁ ବୁଝିପାରିଥାଏ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ