ସମ୍ବଲପୁର: ୨୧ଦଫା ଦାବି ନେଇ ପଶ୍ଚିମ ଅଶାକର୍ମୀ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଛି । ସମ୍ବଲପୁର ନାରୀ ସେବା ସଦନ ପଡିଆଠାରୁ ଅଶାକର୍ମୀ ବ୍ୟାନର ଓ ପୋଷ୍ଟର ଧରି ଶୋଭଯାତ୍ରାରେ ବାହାରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । NHM ଯୋଜନାକୁ ସ୍ଥାୟୀ କରିବା କରିବା, ଅଶାକର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ଶ୍ରମ ସମ୍ମିଳନୀ ସୁପାରିଶ ଅନୁସାରେ ଅଶାକର୍ମୀଙ୍କ ଭତ୍ତା ୨୧ହଜାର କରିବା ପରି ୨୧ଟି ପ୍ରମୁଖ ଦାବି କରିଛି ସଂଘ ।
ଦାବି ପୂରଣ ପାଇଁ ପଶ୍ଚିମ ଓଡିଶା ଅଶାକର୍ମୀ ସଙ୍ଘ ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛି । ଏହାପରେ ବହୁ ସମୟ ଧରି ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ଅଧିକାରୀ ଦାବିପତ୍ର ନେବାକୁ ନଆସିବାରୁ ଅଶାକର୍ମୀ ମାନେ ପୋଲିସ ସୁରକ୍ଷା ବଳୟ ଭାଙ୍ଗି ଜିଲ୍ଲାପାଳଙ୍କ ମୁଖ୍ୟ ଗେଟ୍ ଦେଇ କାର୍ଯ୍ୟାଳୟ ପରିସର ଭିତରକୁ ଧସେଇ ପଶିଥିଲେ ।
ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲ୍ଲାପାଳ ଆସି ଦାବିପତ୍ର ଗ୍ରହଣ କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ଏହାପରେ ଉତ୍ତରାଞ୍ଚଳ ଆରଡିସି ଓ ସମ୍ବଲପୁର ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଆଶା କର୍ମୀ ।
ଇଟିଭି ଭାରତ, ସମ୍ବଲପୁର