ସମ୍ବଲପୁର: ଆଜି ହେଉଛି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ 215ତମ ଜନ୍ମ ଜୟନ୍ତୀ । ଏହି ଅବସରରେରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ସ୍ଥିତ ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହାପରେ ସେ ସୁରେନ୍ଦ୍ର ସାଏଙ୍କ ଦାୟାଦଙ୍କ ପରିବାରକୁ ଭେଟିଥିଲେ।
ସମ୍ବଲପୁରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସେ ଅପରାହ୍ଣ 2ଟା 45 ମିନିଟ୍ରେ ଝାରସୁଗୁଡା ଦେଇ ସମ୍ବଲପୁର ରେଙ୍ଗାଲି ବ୍ଲକ ଖିଣ୍ଡା ଗାଁରେ ପହଞ୍ଚିଥିଲେ । ଗାଁ ମୁଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠରେ ପହଞ୍ଚି ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ସେ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ଇତିହାସରେ ସବୁଠାରୁ ଅଧିକ ସମୟ ଜେଲ୍ରେ ରହିଛନ୍ତି । ଇତିହାସରେ ତାଙ୍କୁ ଉଚିତ ସ୍ଥାନ ମିଳିନାହିଁ । ତେବେ କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିରେ ନୂତନ ଇତିହାସରେ ସୁରେନ୍ଦ୍ର ସାଏଙ୍କ ସଂଘର୍ଷମୟ ଜୀବନୀକୁ ସ୍ଥାନିତ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଆଗାମୀ ଦିନରେ ଖିଣ୍ଡା ମାଟିର ଉନ୍ନତିକରଣ ପାଇଁ ଚେଷ୍ଟା କରାଯିବ, ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଅନ୍ୟପଟେ ଆଗାମୀ ନିର୍ବାଚନ ସେ କେଉଁ ସିଟ୍ ରୁ ନିର୍ବାଚନ ଲଢ଼ିବେ ତଥା ବିଧାୟକ ଅଥବା ସାଂସଦ ଭାବେ ନିର୍ବାଚନ ଲଢ଼ିବେ ସେ ନେଇ ପ୍ରଶ୍ନ କରାଯିବାରୁ ସେ ଯାହା ଦଳ ନିଷ୍ପତ୍ତି ନେବ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସହ ବହୁ ବେଜେପି ନେତା ଓ କର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
ଇଟିଭି ଭାରତ, ସମ୍ବଲପୁର