ସମ୍ବଲପୁର: ବୁର୍ଲା ଭୀମସାରରେ ନିୟୋଜିତ ସିକ୍ୟୁରିଟି ସଂସ୍ଥାର ଜଣେ ସୁପରଭାଇଜଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଜଣେ ମହିଳା ସୁରକ୍ଷା କର୍ମୀଙ୍କ ସ୍ତନ୍ୟପାନ ସମୟର ଫଟୋ ଉଠାଇ ବ୍ଲାକମେଲ କରୁଥିବା ନେଇ ସୁପରଭାଇଜରଙ୍କ ନାଁରେ ବୁର୍ଲା ଥାନାରେ ଅଭିଯୋଗ ହୋଇଛି ।
ବାଇକ ଚୋରି କରିବା ଠାରୁ ଆରମ୍ଭ କରି ମାଡପିଟ ଆଦି ବିବାଦ ଘେରରେ ଥିବା ଏକ୍ସକ୍ୟୁଟିଭ ସିକ୍ୟୁରୀଟି ସର୍ଭିସ ସଂସ୍ଥା ଏଥିପାଇଁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥର କିନ୍ତୁ ଅନ୍ୟ କେହି ନୁହଁ ବରଂ ନିଜ ସଂସ୍ଥାର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି ଏକ ଅଭାବନୀୟ ଘଟଣା । ଭିମସାରରେ ନିୟୋଜିତ ଜଣେ ମହିଳା ସୁରକ୍ଷାକର୍ମୀଙ୍କ ୨ ବର୍ଷର ଶିଶୁପୁତ୍ରକୁ ବାରମ୍ବାର ଜ୍ୱରହୋଇ ଛାଡୁନଥିବାରୁ ସେ ଛୁଟି ମାଗିଥିଲେ । ହେଲେ ତାଙ୍କୁ ଛୁଟି ମିଳିନଥିଲା ।
ଗତକାଲି(ଶନିବାର) ଉକ୍ତ ମହିଳା ସୁରକ୍ଷାକର୍ମୀ ଭିମସାର ମହିଳା ହଷ୍ଟେଲ ୨ ରେ ଡ୍ୟୁଟି କରୁଥିଲେ । ଏହି ମହିଳା ହଷ୍ଟେଲର ମେଟ୍ରୋନଙ୍କୁ ନିଜ ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଥିଲେ । ମେଟ୍ରୋନଙ୍କ ଅନୁମତି ପରେ ମହିଳା ସୁରକ୍ଷାକର୍ମୀ ଜଣଙ୍କ ନିଜ ଛୁଆକୁ ଧରି ହଷ୍ଟେଲରେ ସ୍ତନ୍ୟପାନ କରାଉଥିଲେ । ଏହି ସମୟରେ କାଶିମ ଖାଁ ନାମକ ଜଣେ ସୁପରଭାଇଜର ମହିଳା ସୁରକ୍ଷାକର୍ମୀଙ୍କ ଭିଡ଼ିଓ କରି ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ମହିଳା ସୁରକ୍ଷାକର୍ମୀଙ୍କୁ ଏ ବାବଦରେ ଯଦି କାହାକୁ କିଛି କହିବ ତେବେ ତାଙ୍କର ଏହି ଭିଡ଼ିଓ ସବୁଆଡେ ଭାଇରାଲ କରିଦେବାର ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ସମ୍ପୃକ୍ତ ମହିଳା ସୁରକ୍ଷାକର୍ମୀ ଜଣକ ନ୍ୟାୟ ଦାବିରେ ବୁର୍ଲା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ବୁର୍ଲା ପୋଲିସ ଏନେଇ ଏକ ମାମଲା ଦାୟର କରିବା ସହିତ ଅଭିଯୁକ୍ତ ସୁପରଭାଇଜରକୁ ଗିରଫ କରିଛି । ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରିବ ପୋଲିସ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ