ସମ୍ବଲପୁର: ଘଣ୍ଟ, ଘଣ୍ଟା, ମୃଦଙ୍ଗର ତାଳ ସାଙ୍ଗକୁ ପାରମ୍ପାରିକ ସଂଗୀତରେ ପ୍ରକମ୍ପିତ ହେବ ସମ୍ବଲପୁର ସହର । ଦେବୀ ପାର୍ବତୀଙ୍କ ପାଣିଗ୍ରହଣ ପାଇଁ ବରଯାତ୍ରୀଙ୍କୁ ନେଇ ବାହାରିବେ ଦେବ ଦେବ ମହାଦେବ । ଉତ୍କଳୀୟ ସଂସ୍କୃତିର ବିଭିନ୍ନ ପରମ୍ପରା ମଧ୍ୟରୁ ଶିବ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରା ଏକ ଅନନ୍ୟ ପରମ୍ପରା । ସାମାଜିକ ରୀତିନିତିରେ ବିବାହ ଉତ୍ସବର ଏକ ସ୍ବତନ୍ତ୍ର ସ୍ଥାନ ରହିଛି, ଯାହା ମାନବୀୟ ଶୃଙ୍ଖଳା ସହ ଜଡିତ ବୋଲି ଏହି ଦେବ ବିବାହ ପ୍ରମାଣ କରେ । ପ୍ରାୟ 400 ବର୍ଷ ପୂର୍ବେ ସମ୍ବଲପୁରରେ ଶୀତଳ ଷଷ୍ଠୀ ଯାତ୍ରା ଅର୍ଥାତ ଶିବ ବିବାହ ପାଳନ ହେଉଥିବା ଐତିହାସିକଙ୍କ ମତ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ପରମ୍ପରା ପଛର କାହାଣୀ ।
ଶୀତଳଷଷ୍ଠୀ ଯାତ୍ରାର ଅର୍ଥ ହେଉଛି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହର ସମ୍ପୂର୍ଣ୍ଣ ପ୍ରକ୍ରିୟା । ଦେବ ଦମ୍ପତିଙ୍କ ବିବାହ ସମ୍ପୂର୍ଣ୍ଣ ମାନବୀୟ ଲୋକଚାର କରାଯାଇଥାଏ । 1678 ମସିହାରେ ସମ୍ବଲପୁରର ମହାରାଜା ବଳିୟାର ସିଂ, ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇ ଥିବାବେଳେ ନିଜ ରାଜ୍ୟର ସୁପରିଚାଳନା ପାଇଁ ସେଠାରୁ କେତେକ ଉତ୍କଳୀୟ ବ୍ରାହ୍ମଣ ପରିବାରଙ୍କୁ ସମ୍ବଲପୁରକୁ ନେଇ ଆସିଥିଲେ । ଉତ୍କଳୀୟ ବ୍ରାହ୍ମଣମାନେ ନିଜ ସହ ନିଜ ଭାଷା, ସଂସ୍କୃତି ପରମ୍ପରାକୁ ଆଣିଥିଲେ । ଯେହେତୁ ଶୀତଳଷଷ୍ଠୀ ବା ଶିବ ବିବାହ ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ ସେମାନେ ସମ୍ବଲପୁରରେ ଶୀତଳଷଷ୍ଠୀ ପାଳନ କରିବାକୁ ମନସ୍ଥ କଲେ ।
ସେତେବେଳେ ସମ୍ବଲପୁରର ବାଲିବନ୍ଧା ଠାରେ ଗୋଟିଏ ମାତ୍ର ଶିବାଳୟ ଥିଲା, ଯାହାକୁ ସୋମନାଥ ବାବା ବା ସାମିଆଁ ବାବା ମନ୍ଦିର କୁହାଯାଉଥିଲା । ଆଉ ରାଜାଙ୍କ ଅନୁମତି କ୍ରମେ 1679 ମସିହାରେ ଏହି ଉତ୍କଳୀୟ ବ୍ରାହ୍ମଣମାନେ ଏଠାରୁ ଆରମ୍ଭ କରିଥିଲେ ଶୀତଳଷଷ୍ଠୀ ଯାତ୍ରା । ପରବର୍ତ୍ତୀ ସମୟରେ ମହାରାଜା ଅଜିତ ସିଂଙ୍କ ସମୟରେ ମହାନଦୀ କୁଳ ନନ୍ଦପଡାରେ ରହୁଥିବା ଏହି ଉତ୍କଳୀୟ ବ୍ରାହ୍ମଣମାନେ ଯାତାୟାତରେ ଅସୁବିଧା ହେଉଥିବା କହି ନନ୍ଦପଡା ଠାରେ ଭଗବାନ ଶିବଙ୍କ ଏକ ମନ୍ଦିର ନିର୍ମାଣର ଦାବି ରଖିଥିଲେ ।
ରାଜା ଅଜିତ ସିଂ ମଧ୍ୟ ଏଥିରେ ରାଜି ହୋଇ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ସେତେବେଳେ ରାଜ୍ୟରେ ହଠାତ ଗୃହଯୁଦ୍ଧ ହେବାରୁ ମନ୍ଦିର ନିର୍ମାଣ ଅଧାରେ ରହିଯାଇଥିଲା । ପରବର୍ତ୍ତୀ ସମୟରେ ମହାରାଜା ଜୟନ୍ତ ସିଂଙ୍କ ସମୟରେ ନନ୍ଦପଡାରେ "ବମ ବରାଡ଼ ବାଲୁଙ୍କେଶ୍ୱର ବାବା' ଶିବ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା ଓ ଉତ୍କଳୀୟ ବ୍ରାହ୍ମଣମାନେ ଶୀତଳଷଷ୍ଠୀ ଯାତ୍ରାକୁ ମହା ଆଡମ୍ବରରେ କରିବା ଆରମ୍ଭ କରିଥିଲେ । ଏହା ପରେ ପାଖରେ ଝାଡୁଆପଡାରେ ରହୁଥିବା ଆରଣ୍ୟକ ବ୍ରାହ୍ମଣମାନେ ମଧ୍ୟ ଏଠାରୁ ପ୍ରେରଣା ପାଇଁ ଲୋକନାଥ ବାବା ମନ୍ଦିର ନିର୍ମାଣ କରି ସେମାନେ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ କରିଥିଲେ ।
ଏହିଭଳି ଭାବେ ସମ୍ବଲପୁରରେ ଧୀରେ ଧୀରେ ଶୀତଳଷଷ୍ଠୀ ଯାତ୍ରା କମିଟି ମଧ୍ୟରେ ସ୍ପୃହା ବଢିବା ସହ ଏହା ବିଭିନ୍ନ ପଡାକୁ ପରିବ୍ୟାପ୍ତ ହୋଇଥିଲା । ଶେଷରେ ଦେବ ବିବାହ ଏହା ଏକ ଲୋକପର୍ବରେ ପରିଣତ ହୋଇଛି । ଏହି ପରାମ୍ପରାର ଏକ ଅନନ୍ୟ ନିଦର୍ଶନ ମଧ୍ୟ ରହିଛି । ମହାଦେବଙ୍କ ବରଯାତ୍ରୀରେ ନର-ନାରୀ, କୀଟ, ପତଙ୍ଗ, ଜାତି, ଧର୍ମ, ବର୍ଣ୍ଣ ଏବଂ ଲିଙ୍ଗଗତ ଭେଦଭାଦକୁ ଏଡାଇ ସମସ୍ତେ ଯୋଗ ଦେଇଥାନ୍ତି । କିନ୍ନରମାନେ ମହାଦେବଙ୍କ ବରଯାତ୍ରୀରେ ସାମିଲ ହେଲେ ପରଜନ୍ମରେ ଏଥିରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି । ଫଳରେ ରାଜ୍ୟ ତଥା ରାଜ୍ୟ ବାହାରର କିନ୍ନର ଏହି ପରମ୍ପରାରେ ନିଜକୁ ସାମିଲ କରିଥାନ୍ତି । ତେବେ ଯୁଗ ଯୁଗ ଧରି ଶିବ ବିବାହ ପରମ୍ପରା ପ୍ରଚିଳିତ ହେଉ ଏବଂ ମହାଦେବଙ୍କ ମାହାତ୍ମ୍ୟ ଗାନ ହେଉ ବୋଲି ସଭିଙ୍କ କାମନା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ