ସମ୍ବଲପୁର: ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀର ଗାୟିକାଙ୍କୁ ମିଳିଲା ପଦ୍ମଶୀ ସମ୍ମାନ । ଏଥିପାଇଁ ସେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଅଗଣିତ ଶ୍ରୋତାଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଏହାସହ ମା’ସମଲେଶ୍ୱରୀଙ୍କ ଆଶୀର୍ବାଦ ବୋଲି କହିଛନ୍ତି। ପୂର୍ବରୁ ରଙ୍ଗବତୀ ଗୀତର ଗାୟକ ଜିତେନ୍ଦ୍ରିୟ ହରିପାଲ ଓ ସଂଗୀତର ଲେଖକ ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିସାରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଏହାର ଗାୟିକା କ୍ରିଷ୍ଣା ପଟେଲ ଙ୍କୁ ପଦ୍ମଶୀ ସମ୍ମାନରେ ଭୂଷିତ କରାଯାଇଥିବାରୁ ସମ୍ବଲପୁରରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ବିଭିନ୍ନ ମହଲ ରୁ କ୍ରିଷ୍ଣା ପଟେଲଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ପ୍ରାୟ ପାଞ୍ଚ ଦଶନ୍ଧି ତଳେ ପ୍ରସ୍ତୁତ ହୋଇଥିବା ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀର କ୍ରେଜ ଆଜି ବି ବଜାୟ ରହିଛି। ବର୍ତ୍ତମାନ ଏହି ଗୀତର 3 ଜଣ କଳାକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ପୂର୍ବରୁ ଜିତେନ୍ଦ୍ରିୟ ହରିପାଲ ଓ ମିତ୍ରଭାନୁ ଗୌନ୍ତିଆ ପଦ୍ମଶ୍ରୀ ପାଇଥିବା ବେଳେ ବର୍ତ୍ତମାନ ଏହାର ଗାୟିକା କ୍ରିଷ୍ଣା ପଟେଲ ଏହି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି। ଏଥିପାଇଁସେ ଏହି ଗୀତର ପୁରୁଣା ଦିନର କଥା ବଖାଣିଛନ୍ତି। 1975 ମସିହାରେ ଆକାଶବାଣୀ ସମ୍ବଲପୁରରେ ପ୍ରଥମେ ଏହି ଗୀତ ପରିବେଷିତ ହୋଇଥିଲା।
ଏହା ପରେ ଏହାର ଲୋକପ୍ରିୟତା ଯୋଗୁଁ ଇନରକୋ କମ୍ପାନୀ କୋଲକାତାରେ ଏହି ଗୀତକୁ ପୁଣି ଥରେ 1976 ମସିହା ରେ ରେକର୍ଡ କରିଥିଲା। ପ୍ରଭୁଦତ୍ତ ପ୍ରଧାନ ଏହାର ସଙ୍ଗୀତ ସଂଯୋଜନା କରିଥିବା ବେଳେ ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ ଏହି ଗୀତର ଗାୟକ ଥିଲେ। ଏହି ଗୀତ ପ୍ରସାରିତ ହେବା ପରେ ଅସମ୍ଭବ ଲୋକପ୍ରିୟତା ହାସଲ କରିଥିଲା ଯାହା ଆଜି ବି ବଜାୟ ରହିଛି। ପ୍ରତିଟି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏହି ଗୀତର ଦାବି ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରେ ଓ ଦେଶ ବାହାରେ ମଧ୍ୟ ଏହି ଗୀତର ଲୋକପ୍ରିୟତା କାହିଁରେ କଣ। ଏହି ଗୀତର ଲୋକପ୍ରିୟତା ତଥା ସମ୍ବଲପୁରୀ ସଙ୍ଗୀତ କ୍ଷେତ୍ର ରେ କ୍ରିଷ୍ଣାଙ୍କ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ତେବେ ରଙ୍ଗବତୀ ଗୀତକୁ କଦର୍ଥ ନକରାଯାଉ ଓ କୌଣସି ଗୀତକୁ ରିମିକ୍ସ ନକରିବା ପାଇଁ ସରକାର ଆଇନ ପ୍ରଣୟନ କରିବା ଉଚିତ ବୋଲି କହିଛନ୍ତି କ୍ରିଷ୍ଣା ।
ଗତ 2007 ମସିହା ରେ ଜନରାଜ୍ୟ ଦିବସ ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ରେ ରଙ୍ଗବତୀ ଗୀତ ବାଜି ଥିଲା। ଏହି ଗୀତକୁ ସୋନା ମହାପାତ୍ର ଭିନ୍ନ ଢଙ୍ଗ ରେ ଗାଇ ବିବାଦୀୟ ହୋଇ ଚର୍ଚାକୁ ଆସିଥିଲେ। ତେବେ ପୁରୁଣା ରଙ୍ଗବତୀର ଗୀତର କ୍ରେଜ ସହ ଆଜି ପର୍ଯ୍ୟନ୍ତ କେହି ସମକକ୍ଷ ହୋଇପାରିନାହାନ୍ତି। କ୍ରିଷ୍ଣା ପଟେଲ ଏହି ସମ୍ମାନ ପାଇବା ପରେ ଆଜି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଓ ପଦ୍ମଶୀ ଜିତେନ୍ଦ୍ରିୟ ହରିପାଲ ଶୁଭେଚ୍ଛା ଜଣେଇଛନ୍ତି। ଏହା ସହ ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦେଶକ ସ୍ବର୍ଗତ ପ୍ରଭୁଦତ୍ତ ପ୍ରଧାନଙ୍କୁ ମଧ୍ୟ ମରୋଣତ୍ତୋର ଏହି ସମ୍ମାନ ମିଳିବା କଥା ବୋଲି କହିଛନ୍ତି।
ଇଟିଭି ଭାରତ, ସମ୍ବଲପୁର