ସମ୍ବଲପୁର: ଜିଲ୍ଲା ସ୍ଥିତ ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ବା OSOUର ଭାଗ୍ୟ ଭବିଷ୍ୟତକୁ ନେଇ ସମ୍ବଲପୁର ବୁଦ୍ଧିଜୀବୀଙ୍କ ସଂଶୟ । କାରଣ ରାଜ୍ୟ ସରକାର ଜାଣିଶୁଣି ଏହି ରାଜ୍ୟ ସ୍ତରୀୟ ବିଶ୍ବବିଦ୍ୟାଳୟର ଭବିଷ୍ୟତକୁ ଅନ୍ଧକାର ଆଡକୁ ଠେଲି ଦେବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀଵୀ ସନ୍ଦେହ କରିଛନ୍ତି l 2015 ମସିହାରେ ସମ୍ବଲପୁର ଠାରେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ଶିକ୍ଷକ ଅଣ ଶିକ୍ଷକ ପଦବୀର ଅଭାବ ସହ ଭିତ୍ତିଭୂମିର ଅଭାବ ଯୋଗୁଁ ଏହା ନାକ ମାନ୍ୟତା ପାଇ ନଥିବା ବେଳେ ଚଳିତ ବର୍ଷ ପାଇଁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ UGC ଅନୁମତି ଦେଇନାହିଁ l ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଏହି ଶିକ୍ଷା ପ୍ରକ୍ରିୟାରୁ ବାଦ ପଡିବାକୁ ଯାଉଛନ୍ତି ।
ସମ୍ବଲପୁରରେ ସ୍ଥିତ ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ l 2015 ମସିହାରେ ଏହା ସମ୍ବଲପୁରରେ ସ୍ଥାପିତ ହୋଇଥିଲା । ସ୍ଥାୟୀ କ୍ୟାମ୍ପସ ନଥିବାରୁ ଏହା ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟ ପରିସର ଭିତରେ ଏକ ଅସ୍ଥାୟୀ କ୍ୟାମ୍ପସରେ ଆରମ୍ଭ ହୋଇଥିଲା l ପ୍ରଥମେ ଏହା କେବଳ ସାର୍ଟିଫିକେଟ କୋର୍ସ ଦେଉଥିଲା । ତେବେ 2018ରେ ଏହାକୁ 5 ବର୍ଷ ପାଇଁ ୟୁଜିସି ମାନ୍ୟତା ପାଇବା ପରେ ଏଠାରେ 11ଟି ସ୍ନାତକୋତ୍ତର ଓ 14ଟି ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେଲା । ଆଉ ବହୁ ସଂଖ୍ୟକ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଏଠାରେ ପାଠ ପଢିଲେ l ତଥ୍ୟ ଉପରେ ନଜର ପକେଇଲେ ଏଠାରେ 83% ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ଜଣାପଡିଛି l
ଏହାବି ପଢନ୍ତୁ- ବିବାଦ ଭିତରେ ନାକ ଟିମ ପରିଦର୍ଶନ ପାଇଁ କେତେ ପ୍ରସ୍ତୁତ ସମ୍ବଲପୁର ବିଶ୍ବବିଦ୍ୟାଳୟ
ଅନ୍ୟପଟେ ଏଠାରେ 56 ପ୍ରତିଶତ ମହିଳା ମାନେ ପାଠ ପଢ଼ୁଥିବା ଜଣାପଡିଛି l ତେବେ ଚଳିତ ବର୍ଷ ଏହି ବିଶ୍ବବିଦ୍ୟାଳୟକୁ ନାକ ମାନ୍ୟତା ମିଳିଲା ନାହିଁ l ଆଉ ଏହାର କାରଣ ହେଉଛି ଏଠାରେ ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ନାହିଁ l ଫଳରେ ଚଳିତ ଶିକ୍ଷା ବର୍ଷ ପାଇଁ ନୂଆ ଗାଇଡ଼ଲାଇନ ଅନୁସାରେ ପିଜି ଓ ୟୁଜି ପାଠ୍ୟକ୍ରମ ପାଇଁ ୟୁଜିସି ଅନୁମତି ମିଳିଲା ନାହିଁ l ସ୍ଥାୟୀ କ୍ୟାମ୍ପସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା 40 ଏକର ଜମିରେ କୌଣସି କାର୍ଯ୍ୟ ହୋଇନାହିଁ l ଫଳରେ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଏହି ବିଶ୍ବବିଦ୍ୟାଳୟର ଶିକ୍ଷାଦାନରୁ ବଞ୍ଚିତ ରହିବେ l
ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ରାଜ୍ୟ ସରକାର ଜାଣି ଶୁଣି ଏହି ଶିକ୍ଷା ଅନୁଷ୍ଠାନକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଥିବା ସ୍ଥାନୀୟ ଶିକ୍ଷାବିତ ଓ ବୁଦ୍ଧିଜୀବୀ ସନ୍ଦେହ କରିଛନ୍ତି । ଏନେଇ ବୁଦ୍ଧିଜୀବୀ ମହଲରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହ ଏହି ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କ ଆଗରେ ଦାବି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଏହି ବିଶ୍ବବିଦ୍ୟାଳୟରେ ନାକ ମାନ୍ୟତା ପାଇଁ 43ଟି ଶିକ୍ଷକ,14ଟି ଅଣ ଶିକ୍ଷକ,2ଟି ବିଭାଗୀୟ ଅଧିକାରୀ, 4ଟି ବରିଷ୍ଠ ସହାୟକ, 8ଟି କନିଷ୍ଠ ସହାୟକ ପଦବୀର ଆବଶ୍ୟକତା ରହିଛି l ଏନେଇ ଗତ ଏପ୍ରିଲ 10 ତାରିଖରେ ଭୁବନେଶ୍ବର ଲୋକସେବା ଭବନରେ ଉନ୍ନୟନ ଆଯୁକ୍ତ, ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ, ସ୍ବତନ୍ତ୍ର ସଚିବ ଓ ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ ବୈଠକ ହୋଇଥିଲା । ଏହାର ଛାତ୍ର ସଂଖ୍ୟା, ପଦ ପଦବୀ ନେଇ ଆଲୋଚନା ହୋଇଥିଲା ତେବେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନନେବାରୁ ଆଜି ଏହି ବିଶ୍ବବିଦ୍ୟାଳୟର ଅବସ୍ଥା ଏମିତି ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେବେ ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ l
ଇଟିଭି ଭାରତ, ସମ୍ବଲପୁର