ସମ୍ବଲପୁର: ବର୍ତ୍ତମାନ ଚାରିଆଡ଼େ କୋରୋନା ମହାମାରୀ ନେଇ ଏକ ପ୍ରକାର ଭୟ ରାଜୁତି କରୁଛି। ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେବା ସହ ଲୋକଙ୍କୁ ସଚେତନ କରୁଛନ୍ତି। ନୀତି ନିୟମ ନମାନିଲେ ଲୋକଙ୍କୁ ଫାଇନ ମଧ୍ୟ କରାଯାଉଛି । ଏହା ସହ କୋରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଡାକ୍ତର, ମେଡିକାଲ ଷ୍ଟାଫ, ପୋଲିସ, ଆଶକର୍ମୀ ସମସ୍ତେ କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଏହି ସମୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ କୋଭିଡ ଲଢେଇ ନାଁରେ ସହରବାସୀଙ୍କୁ କେତେକ ସର୍ବନିମ୍ନ ସେବାରୁ ଦୂରେଇ ରଖୁଥିବାର ଅନୁଭଵ ହେଉଛି। କାରଣ ବର୍ତ୍ତମାନ ବର୍ଷା ଋତୁ ଆସିଥିବା ବେଳେ ସହର ପରିମଳ ବ୍ୟବସ୍ଥା ପୁରାପୁରି ବିଗିଡି ଯାଇଛି । ଅନ୍ୟପଟେ ମଶା ଦୂରୀକରଣ କାର୍ଯ୍ୟକ୍ରମକୁ ପୁରାପୁରି ଭୁଲି ଯାଇଛି ପ୍ରଶାସନ। ଏହା ଫଳରେ ଲୋକେ ଏବେ ମଶାଙ୍କ ପ୍ରାଦୁର୍ଭାବ ସହୁଛନ୍ତି।
ଚାରିଆଡେ କେବଳ କୋଭିଡ ଚର୍ଚ୍ଚା। କୋରୋନାର ଭୟ ରାଜୁତି କରୁଛି ସାରା ସହରରେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକାବିଲା ମଧ୍ୟ ଜାରି ରହିଛି। ଏହି ଭିତରେ କିନ୍ତୁ ସମ୍ବଲପୁର ସହରବାସୀଙ୍କ ପାଇଁ ମହାନଗର ନିଗମର ଯେଉଁ ସର୍ବନିମ୍ନ ଦାୟିତ୍ବ ରହିଛି ତାହାର ଅଭାବ ଅନୁଭୁତ ହେଉଛି। ସହର ପରିମଳ ବ୍ୟବସ୍ଥା ବିଗିଡି ଯାଇଥିବା ଅଭିଯୋଗ ହେଉଛି। ରାସ୍ତା କଡରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ଦୁର୍ଗନ୍ଧ ସୃଷ୍ଟି ହେଉଛି। ନାଳ ନର୍ଦ୍ଦମା ଠିକ ଭାବେ ସଫା ନ ହେବାରୁ ପାଣି ଜମି ମଶା ମାଛିଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଛି। ଏପଟେ ଅଧା ପାନ୍ତରିଆ ଡ୍ରେନ ମରାମତି କାମ ଯୋଗୁଁ ମଧ୍ୟ ମଶାଙ୍କ ସଂଖ୍ୟ ବଢ଼ୁଛି। ସନ୍ଧ୍ୟା ହେଲେ ଲୋକେ ମଶାରୀ ନହେଲେ ଶୋଇ ପାରୁନାହାନ୍ତି। ଏଭଳି ପରିସ୍ଥିତିରେ ପୂର୍ବରୁ ମହାନଗର ନିଗମ ପକ୍ଷରୁ ମଶା ମାରିବା ପାଇଁ ଯେଉଁ ଧୂଆଁ ଗାଡି ଆସୁଥିଲା ତାହା ଆସୁନାହିଁ। ଆଉ ଏହାର ସବୁଠାରୁ ବଡ଼ ପ୍ରଭାବ ପଡିଛି ବସ୍ତି ବାସିନ୍ଦାଙ୍କ ଉପରେ। ମହାନଗର ନିଗମକୁ ଏନେଇ କିଛି ବି ଅଭିଯୋଗ କରିବାକୁ ଗଲେ କୋରୋନା ଆଳରେ ଆଉ କେହି କିଛି ଶୁଣିବା ଅବସ୍ଥାରେ ନାହାଁନ୍ତି।
ଅନ୍ୟପଟେ ଏନେଇ ସ୍ଥାନୀୟ ଜନ ପ୍ରତିନିଧିମାନେ ମଧ୍ୟ ମହାନଗର ନିଗମର କାର୍ଯ୍ୟ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାନଗର ନିଗମ ଅଞ୍ଚଳରେ ମଶା ନିରାକରଣ ଏକ ରୁଟିନ ୱାର୍କ ଆଉ ଏହା ବନ୍ଦ ହେବା କଥା ନୁହଁ ବୋଲି ସ୍ଥାନୀୟ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି। ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ ମଧ୍ୟ ମହାନଗର ନିଗମର କାର୍ଯ୍ୟରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଅନ୍ୟପଟେ ସମ୍ବଲପୁର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୁଭସ୍ମିତା ମିଶ୍ର ଏନେଇ କହିଛନ୍ତି ଯେ ବିଗତ ଦିନରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ସହ ବୈଠକ ହୋଇଛି। ନାଳ ନର୍ଦ୍ଦମା ସଫେଇ କାର୍ଯ୍ୟ ଜାରି ରହିଛି ଓ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ଏହା ସହ ସବୁ ବିଭାଗର କାର୍ଯ୍ୟର କଡାକଡ଼ି ଭାବେ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି।
କୋରୋନା ସହ ଲଢେ଼ଇ କରିବାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ଲୋକ ସ୍ବାଗତ ମଧ୍ୟ କରୁଛନ୍ତି। ତେବେ ମୁଖ୍ୟତଃ ବର୍ଷା ଦିନେ ମଶା ଦୂରୀକରଣ କାର୍ଯ୍ୟକ୍ରମ ସହ ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ଦାବି ହେଉଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ