ସମ୍ବଲପୁର: ସରକାରୀ ଯୋଜନାରେ ଟଙ୍କିକିଆ ଚାଉଳ କଥା ସମସ୍ତେ ଶୁଣିଥିବେ । ତେବେ ସମ୍ପ୍ରତି ସମାଜରେ ଡାକ୍ତରଙ୍କ ଫିସ କେବେ ଏକ ଟଙ୍କା ହୋଇପାରେ ତାହାକୁ କେହି ବିଶ୍ୱାସ କରିବା କଷ୍ଟ । ବର୍ତ୍ତମାନ ପ୍ରାଇଭେଟ କ୍ଷେତ୍ରରେ ଚିକିତ୍ସା ସବୁଠାରୁ ଅଧିକ ବ୍ୟୟବହୁଳ ହେଉଥିବାବେଳେ ସାଧାରଣତଃ ଗରିବ ଶ୍ରେଣୀର ଲୋକେ ଘରୋଇ ଡାକ୍ତରଖାନାକୁ ଯିବାପାଇଁ ସକ୍ଷମ ହୁଅନ୍ତି ନାହିଁ । ତେବେ ଏହିଭଳି ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବୁର୍ଲା ଭୀମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ ନିଜ ଭଡା ଘର ପାଖରେ ଖୋଲିଛନ୍ତି ଏକ କ୍ଲିନିକ। ଆଉ ଏହି କ୍ଲିନିକକୁ ଆସୁଥିବା ରୋଗୀଙ୍କ ପାଇଁ ଡାକ୍ତରଙ୍କ ଫିସ ରଖିଛନ୍ତି ମାତ୍ର 1 ଟଙ୍କା ।
ବର୍ତ୍ତମାନ ଅଧିକାଂଶ ସ୍ଥାନରେ ସରକାରୀ ଚିକତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ମଧ୍ୟବିତ୍ତ ଓ ଧନୀକ ଶ୍ରେଣୀର ଲୋକେ ଘରୋଇ ଚିକିତ୍ସା ସେବା ଉପରେ ସାଧାରଣତଃ ଅଧିକ ନିର୍ଭରଶୀଳ । ଅନ୍ୟପଟେ ବ୍ୟୟବହୁଳ ଘରୋଇ ଚିକିତ୍ସାର ଫିସ ନ ଦେଇପାରି ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ଖଟିଖିଆ ଲୋକ । ତେବେ ବୁର୍ଲା ଭିମସାର ମେଡ଼ିକାଲର ଡାକ୍ତର ଶଙ୍କର ରାମଚନ୍ଦାନୀ ବୁର୍ଲା ସ୍ଥିତ ନିଜର ଭଡା ଘର ନିକଟରେ ଏମିତି ଏକ କ୍ଲିନିକ ଖୋଲିଛନ୍ତି ଯେଉଁଠି ଗରିବ ଲୋକ ଆରାମରେ ଚିକିତ୍ସିତ ହୋଇପାରିବେ। କାରଣ ଏହି କ୍ଲିନିକର ଡାକ୍ତରଙ୍କ ଫି ମାତ୍ର 1ଟଙ୍କା ।
ନିଜର ଡ୍ୟୁଟି ସରିଲା ପରେ ସନ୍ଧ୍ୟା 6ରୁ 7 ଟା ଯାଏ ସେ ଏଠାରେ ଗରିବ ଲୋକଙ୍କ ଚିକିତ୍ସା କରିବେ । ଏନେଇ ଶୁକ୍ରବାର ଡାକ୍ତର ଶଙ୍କର ଚାମଚନ୍ଦାନୀ ନିଜ ମାଙ୍କ ହାତରେ ଏହି ଏକ ଟଙ୍କିଆ କ୍ଲିନିକର ଉଦଘାଟନ କରିଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ଡେଣ୍ଟଆଲ ସର୍ଜନ ହୋଇଥିବାରୁ ସେ ମଧ୍ୟ ଏଠାରେ ଏକ ଟଙ୍କା ଫିସରେ ରୋଗୀ ସେବା କରିବେ।
ପୂର୍ବରୁ ଡାକ୍ତର ରାମଚାନ୍ଦାନି ଗରିବଙ୍କ ପାଇଁ ଅନେକ କାର୍ଯ୍ୟ କରିଥିବାବେଳେ ବର୍ତ୍ତମାନ ତାଙ୍କର ଏହି ପଦକ୍ଷେପ ପାଇଁ ସ୍ଥାନୀୟ ଲୋକ ମଧ୍ୟ ସହଯୋଗ ପାଇଁ ଆଗେଇ ଆସିଛନ୍ତି ଓ ତାଙ୍କର ଭୂରି ଭୂରି ପ୍ରଶଂସା କରୁଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ