ସମ୍ବଲପୁର: ଜିଲ୍ଲାରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ବୁଧବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ଏବେବି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଛି । କେତେବେଳେ ଝିପିଝିପି ବର୍ଷା ତ କେତେବେଳେ ଜୋରରେ ବର୍ଷା ହେଉଛି । ଆକାଶ ମେଘାଛନ୍ନ ରହିବା ସହ ବେଳେବେଳେ ପବନ ମଧ୍ୟ ହେଉଛି ।
ପ୍ରବଳ ବର୍ଷା ଜାରି ରହିଥିବାରୁ ମହାନଦୀ ତଥା ଅନ୍ୟ ଛୋଟବଡ ନଦୀ ନାଳରେ ବନ୍ୟାଜଳ ପ୍ରବାହିତ ହେଉଛି। କେତେକ ସ୍ଥାନରେ ଚାଷ ଜମିରେ ବନ୍ୟା ଜଳ ମାଡି ଯାଇଥିବାର ଖବର ଆସିଛି । ଗତ 24 ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଳକରେ ସର୍ବାଧିକ 138 ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ନାକଟିଦେଉଳରେ ସର୍ବନିମ୍ନ 64 ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଅନ୍ୟ ବ୍ଳକ ମଧ୍ୟରେ ଧନକଉଡା ବ୍ଲକରେ 80 ମିଲିମିଟର, ରେଙ୍ଗାଲୀରେ 82 ମିଲିମିଟର, ମାନେଶ୍ୱରରେ 87 ମିଲିମିଟର, କୁଚିଣ୍ଡାରେ 71 ମିଲିମିଟର, ଜାମନକିରାରେ 78 ମିଲିମିଟର, ବାମରାରେ 73 ମିଲିମିଟର ଓ ରେଢାଖୋଲରେ 108 ମିଲିମିଟର ବର୍ଷା ରେକର୍ଡ ହୋଇଛି।
ସେପଟେ ଉପ-କୂଳବର୍ତୀ ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଥିବାରୁ ହୀରକୁଦ ଡ୍ୟାମର ଖୋଲାଥିବା 13ଟି ଗେଟରୁ 3 ଟି ଗେଟକୁ ଆଜି ( ବୁଧବାର) ପର୍ଯ୍ୟାୟ କ୍ରମେ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର 10ଟି ଗେଟ ଖୋଲା ଥିବାବେଳେ ଏହାର ଜଳସ୍ତର 618.97 ଫୁଟ ରହିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ