ସମ୍ବଲପୁର: ବୁର୍ଲାରେ ଗୋଟିଏ ପରିବାର ଉପରେ ସଂଘ ବଦ୍ଧ ଆକ୍ରମଣ । ଏଥିରେ ଗୋଟିଏ ପରିବାର 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ହୋଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଏସପି କନବର ବିଶାଳ ସିଂ। ପ୍ରଥମିକ ତଦନ୍ତରୁ ପାରିବାରିକ ଶତ୍ରୁତା ଯୋଗୁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ 2 ଟି ଟିମ୍ ଗଠନ ହୋଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଙ୍ଗଳବାର ବିଳମ୍ୱିତ ରାତିରେ ଗୋଟିଏ ପରିବାରର ସମସ୍ତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତେବେ ସମସ୍ତ ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ 2 ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମେଡିକାଲରେ ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର ପହଞ୍ଚି ଗୁରୁତରଙ୍କୁ ଭେଟିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ 4ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ଘଟଣାଟି ବୁର୍ଲା ସହରର ସେଣ୍ଟର ଲାଇନ୍ କଲୋନୀରେ ଘଟିଛି । ସୂଚନାନୁଯାୟୀ, ସେଣ୍ଟର ଲାଇନ୍ କଲୋନୀର ବିଶୋଇ ପରିବାର ଉପରେ ଦୀର୍ଘ ବର୍ଷ ତଳର ରାଗକୁ ନେଇ ସଂଘବଦ୍ଧ ଆକ୍ରମଣ ହୋଇଛି । ଏଥିରେ ପିତବାଶ ବିଶୋଇ, ତାଙ୍କ ସ୍ତ୍ରୀ ସଙ୍ଗୀତା ବିଶୋଇ ତାଙ୍କ ବଡ ପୁଅ ବୁଲୁ ବିଶୋଇ ସାନ ପୁଅ ମୁନା ବିଶୋଇ ଏବଂ ପିତବାଶଙ୍କ ଶଳା ନରେନ୍ଦ୍ର ଭାଣ୍ଡେକର ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତଙ୍କୁ ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରି ଦୁର୍ବୁତ୍ତ ମାନେ ଫେରାର୍ ହୋଇଯାଇଥିଲେ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଲୁ ଓ ତାଙ୍କ ଭାଇ ମୁନାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ପିତବାସଙ୍କ ଅବସ୍ଥା ସଂକଟାପର୍ଣ ଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି ।
ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ