ସମ୍ବଲପୁର: ଜିଲ୍ଲାରେ 21 ଦଫା ଦାବି ନେଇ ଗର୍ଜିଲେ ଆଶା ଦିଦି । ଆଜି(ସୋମବାର) ଆଶାକର୍ମୀ ମାନେ ସମ୍ବଲପୁର ଜିଲ୍ଲାପାଳ ଓ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ 21 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ସ୍ବାସ୍ଥ୍ୟମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକାଙ୍କ ଉଦ୍ଦେଶ୍ୟରେ ଉତ୍ତରାଞ୍ଚଳ ଆରଡିସି ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏନଏଚଏମ ଯୋଜନାକୁ ସ୍ଥାୟୀ କରିବା ସହିତ ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା, ଶ୍ରମ ସମ୍ମିଳନୀ ସୁପାରିଶ ଅନୁସାରେ 21 ହଜାର ଟଙ୍କା ଭତ୍ତା ଦେବା ସହ 3 ହଜାର ଟଙ୍କାର ଅବସରକାଳୀନ ପେନସନ, କୋଭିଡର ସ୍ବତନ୍ତ୍ର ଭତ୍ତାକୁ ବନ୍ଦ ନ କରିବା, ସମସ୍ତଙ୍କୁ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ପ୍ରମୁଖ ଦାବିକୁ ନେଇ ଆଶାକର୍ମୀ ଏହି ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ