ସମ୍ବଲପୁର: ନବ ଦାସଙ୍କ ହତ୍ଯା ମାମଲାକୁ ନେଇ ସରଗରମ ରାଜନୀତି । କ୍ରାଇମ ବ୍ରାଞ୍ଚ ତଦନ୍ତକୁ ନେଇ ଶାସକ ବିରୋଧି ମଧ୍ୟରେ ଅରମ୍ଭ ହୋଇଛି ବାକଯୁଦ୍ଧ । ତେବେ ନବ ଦାସଙ୍କୁ ଗତ ରବିବାର ଦିନ ଝାରସୁଗୁଡା ଜିଲ୍ଲା ଗାନ୍ଧୀ ଛକରେ ଜଣେ ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କରିବା ପରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଛି । ତେବେ କ୍ରାଇମ ବ୍ରାଞ୍ଚର ତଦନ୍ତ ଓ ରାଜ୍ୟ ପୋଲିସର ଭୂମିକା ନେଇ ବିରୋଧୀ ଅନେକ ପ୍ରଶ୍ନ କରିଛନ୍ତି । ଏଭଳି ସ୍ଥିତିରେ ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ନିଜର PSO ଫେରେଇ ଦେବା ପରେ ଏନେଇ ଏବେ ରାଜନୀତି ବୟାନବାଜି ଜୋର ଧରିଛି । କିଛି ଦିନ ତଳେ ରାଜ୍ୟ ପୋଲିସ ଉପରେ ଭରସା ନାହିଁ ବୋଲି କହି ପ୍ରଶ୍ନ କରିଥିଲେ ବିରୋଧୀ ଦଳର ନେତା ।
ପୋଲିସ ନିରପେକ୍ଷ ହେବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଇଙ୍ଗିତରେ ଚାଲୁଛି ବୋଲି ଜୟ ନାରାୟନ ମିଶ୍ର ଅଭିଯୋଗ କରିଥିଲେ । ଏହାପରେ ଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଂଙ୍ଘ ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ଏହି ମନ୍ତବ୍ୟକୁ କଡ଼ା ନିନ୍ଦା କରିଥିଲା । ସଂଘର ସମ୍ବଲପୁର ଶାଖା ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିରୋଧୀ ଦଳର ନେତାଙ୍କୁ ନିନ୍ଦା କରାଯାଇ ଏହି ମନ୍ତବ୍ୟ ଫେରାଇ ନିଅନ୍ତୁ ବୋଲି ଦାବି ହୋଇଥିଲା ।
ତେବେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ତଥା ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ପ୍ରମୋଦ ରଥ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ପୋଲିସ ବିଭାଗର ସମର୍ଥନରେ ବାହାରିଛନ୍ତି । ନବ ଦାସଙ୍କ ମୃତ୍ୟୁ ତାଙ୍କର ପାଇଁ ଏକ ଅପୂରଣିୟ କ୍ଷତି ବୋଲି ପ୍ରମୋଦ ରଥ କହିଛନ୍ତି । ପୋଲିସ ହାତରେ ଜଣେ ମନ୍ତ୍ରୀଙ୍କ ହତ୍ୟା ଆହୁରି ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।
ତେବେ ଜଣେ ପୋଲିସ ପାଇଁ ସମଗ୍ର ପୋଲିସ ବିଭାଗ କୁ ବଦନାମ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ପୋଲିସ ବିଭାଗ ବିନା ଗଣତନ୍ତ୍ର ଭୁଶୁଡି ପଡିବ । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ପୋଲିସ ସାଧରଣ ଜନତାକୁ ସୁରକ୍ଷା ଦେଇଆସୁଛି । ବିଚାରପତି ଜେପି ଦାସଙ୍କ ତଦାରଖରେ ଏହି ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ କରୁଛି, ଯଦି ପାଖରେ କିଛି ପ୍ରମାଣ ଅଛି ତାହେଲେ କ୍ରାଇମ ବ୍ରାଞ୍ଚକୁ ସହାୟତା କରାଯାଉ । କେବଳ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲେ କୌଣସି ଲାଭ ନାହିଁ ବୋଲି ପ୍ରମୋଦ ରଥ କହିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର