ସମ୍ବଲପୁର: ଆଗକୁ ଆସୁଥିବା ସାଧାରଣ ନିର୍ବାଚନକୁ ନେଇ ଖୁବ୍ ଜୋରସୋରରେ ଚାଲିଛି ଦଳଡିଆଁ ପର୍ବ । ଏମିତିରେ ଦଳରେ କିଛି ନୂଆ ମୁହଁ ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ତେବେ ଚଳିତବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ ସମ୍ବଲପୁରୀ ସଙ୍ଗୀତ ସମ୍ରାଟ ତଥା ରଙ୍ଗବତୀ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲଙ୍କୁ ।
ଶନିବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଜିତେନ୍ଦ୍ରିୟ । ହେଲେ ନିର୍ବାଚନ ସେ କୌଣସି ରାଜନୈତିକ ଦଳ ପକ୍ଷରୁ ନୁହେଁ ବରଂ ଜନ୍ମମାଟି ସମ୍ବଲପୁରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବା ନେଇ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ସେ ବିଧାୟକ କି ସାଂସଦ ପ୍ରାର୍ଥୀ ଭାବେ ଲଢିବେ, ସେ ନେଇ କିଛି ବିଚାର କରିନାହାଁନ୍ତି ବୋଲି କହିଛନ୍ତି ।
ବର୍ତ୍ତମାନ ରାଜନୀତି ନାଁରେ ଚାଲିଥିବା ଭ୍ରଷ୍ଟାଚାର ଯୋଗୁଁ ସେ କୌଣସି ଦଳ ତରଫରୁ ନ ଲଢି ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଏଥିସହ ସମ୍ବଲପୁରର ବିକାଶ ପାଇଁ ସେ ରାଜନୀତିକୁ ଓହ୍ଲାଉଥିବା ପ୍ରକାଶ କରିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ