ସମ୍ବଲପୁର: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୃଷି ନୀତିକୁ ବିରୋଧ କରି ମୋଟର ସାଇକେଲ ରାଲି ବାହାର କରିଛନ୍ତି ଚାଷୀ । ଏପରି କିଛି ଦେଖିବାକୁ ମିଳିଛି ସମ୍ବଲପୁର ସହରରେ । ସହରର ଜେଲ ଛକ ଠାରୁ ବାଇକ ଯୋଗେ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଶହ ଶହ ଚାଷୀ । ଆଜି ସମ୍ବଲପୁର ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଚାଷୀମାନେ ରାଜଧାନୀ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି।
ଏହି ବାଇକ ରାଲି ଆଜି ସନ୍ଧ୍ୟାରେ ଅନୁଗୋଳର ବାମୁର ଠାରେ ରାତ୍ରୀଯାପନ କରି ଆସନ୍ତା କାଲି କଟକରେ ରାତ୍ରୀ ଯାପନ କରିବ।ଏହା ପରେ ଆସନ୍ତା ମାର୍ଚ୍ଚ 2 ତାରିଖରେ ଭୁବନେଶ୍ବରରେ ଚାଷୀ ମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବାଇକ ରାଲି କରିବା ପରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ଏହି ବାଇକ ରାଲିରେ ବିଭିନ୍ନ ଜିଲ୍ଲା ଅତିକ୍ରମ କରିବାବେଳେ ବିଭିନ୍ନ ଜିଲ୍ଲାର କୃଷକ ସଙ୍ଗଠନ ସାମିଲ ହେବେ ବୋଲି କୁହାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ