ସମ୍ବଲପୁର: ଶିଳ୍ପ ଅନୁଷ୍ଠାନରୁ ନିର୍ଗତ ପ୍ରଦୂଷିତ ପାଉଁଶ ସମସ୍ୟାରେ ଅତିଷ୍ଠ ହୋଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ନିଶାନଭଙ୍ଗା ପଞ୍ଚାୟତ ଅଞ୍ଚଳର ଲୋକେ। ସ୍ଥାନୀୟ ବିରାଜ ଷ୍ଟିଲ କାରଖାନାର ପାଉଁଶ ପୋଖରୀର ଉଚ୍ଚତା ଆବଶ୍ୟକତା ଠାରୁ ଅଧିକ ହେବାରୁ ପାଉଁଶ ଆଖପାଖ ଅଞ୍ଚଳକୁ ଚାପିଯାଉଥିବା ସ୍ଥାନୀୟ ସରପଞ୍ଚ ସରୋଜ ମେହେର ଜିଲ୍ଲା ପ୍ରଶାସନ ଆଗରେ ଅଭିଯୋଗ କରିଛନ୍ତି ।
ସ୍ଥାନୀୟ ସରପଞ୍ଚ କିଛି ଲୋକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଶିଳ୍ପ ଅନୁଷ୍ଠାନର ଏହି ପ୍ରଦୂଷଣ ଯୋଗୁଁ ଗଛପତ୍ର, ଘାଷ ବିଷାକ୍ତ ହେବାରୁ ଗାଈ-ଗୋରୁ ରୋଗରେ ପଡୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହାସହ ଶିଳ୍ପ ଅନୁଷ୍ଠାନର ତିଆରି ସମୟରେ ଜମି ହରାଇଥିବା ଲୋକଙ୍କୁ ଶିଳ୍ପ ଅନୁଷ୍ଠାନ ସ୍ଥାୟୀ କିମ୍ବା ଅସ୍ଥାୟୀ ନିଯୁକ୍ତି ଦେବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି ।
ଏହାସହ ଶିଳ୍ପ ଅନୁଷ୍ଠାନର ସମ୍ମୁଖରେ ପାର୍କିଂ ନଥିବାରୁ ଏହା ସମ୍ମୁଖରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଏନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଘଟଣାର ତଦନ୍ତ ହେଲା ପରେ ଅଭିଯୋଗରେ ସତ୍ୟାସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଇଟିଭି ଭାରତ, ସମ୍ବଲପୁର