ସମ୍ବଲପୁର: ବୟସ ଆସି 17 ହେଲାଣି । ହେଲେ ଦୁନିଆ କଣ ଜାଣିନାହାନ୍ତି । ଏବେ ବି ବାପା ମାଆଙ୍କ ଭରସାରେ ଜିଉଁଛନ୍ତି । ସେମାନଙ୍କ ବିନା କୌଣସି ଗୋଟିଏ ବି କାମ କରିପାରୁନାହାନ୍ତି । କାରଣ ମାଆ ପେଟରୁ ହିଁ ସେ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଛନ୍ତି । ଏହା ହେଉଛି ସମ୍ବଲପୁର ସହର ବୁଢାରାଜା ଅଞ୍ଚଳର ରାମଗଡ ପଡାରେ ରହୁଥିବା ଡିଲେଶ୍ବରୀ ସାହୁଙ୍କ କାହାଣୀ ।
ବାପା ଗେରେଜ ମେକାନିକ ଓ ମାଆ ଜଣେ ଗୃହିଣୀ । ଗୋଟିଏ ବଖରା ଘରେ ବସବାସ କରୁଛନ୍ତି । ଲକଡାଉନରେ ସବୁ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି । ଫଳରେ ଘୋର ଆର୍ଥିକ ସଙ୍କଟରେ ଏହି ଗରିବ ଖଟିଖିଆ ପରିବାର । ଦିବ୍ୟାଙ୍ଗ ଝିଅର ଚିକିତ୍ସା ଓ ଭରଣପୋଷଣରେ ଘାଣ୍ଟି ହେଉଛନ୍ତି ବାପା ଓ ମାଆ ।
ଘର ଭିତରେ ବନ୍ଧୁଆ ଖଟରେ ସବୁବେଳେ ପଡି ରହିଛି ଝିଅ । ତାହାର ଯତ୍ନ ନେବା ପାଇଁ ମାଆ କୁଆଡେ ଯାଇପାରୁନି । ଲକଡାଉନରେ ଗ୍ୟାରେଜ ବନ୍ଦ ହେବାରୁ ବାପା ରୋଜଗାରହୀନ । ସେପଟେ ଝିଅଟି ଖଟ ଉପରେ ଝାଡା ପରିସ୍ରା କରୁଛି । ଯାହା ଫଳରେ ଘର ତଥା ସାହି ପଡିଶାର ପରିବେଶ ଦୂଷିତ ହେଉଛି ।
କିନ୍ତୁ ଏମାନଙ୍କ ପାଖରେ କୌଣସି ଉପାୟ ମଧ୍ୟ ନାହିଁ । ତେବେ ଲକଡାଉନରେ ମିଳୁଛି ସରକାରୀ ସହାୟତା । ସରକାରୀ ଚାଉଳ ସହ ଦିବ୍ୟାଙ୍ଗ ଝିଅକୁ ମାସିକ 700 ଟଙ୍କାର ଭତ୍ତା ମଧ୍ୟ ମିଳୁଛି । ହେଲେ ଏତିକି ଅର୍ଥ ଝିଅର ଚିକିତ୍ସା, ଔଷଧ ଓ ଅନ୍ୟାନ୍ୟ ଖର୍ଚ୍ଚରେ ନିଅଣ୍ଟ ହେଉଛି ବୋଲି ସ୍ଥାନୀୟ ସମାଜସେବୀ ଭାରତୀ ପଣ୍ଡା କହିଛନ୍ତି ।
ଲକଡାଉନରେ ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରି ସହାୟତା ଯୋଗାଇ ଦେଉଛନ୍ତି । ତେବେ ତାହା ଏହି ଗରିବଙ୍କ ପାଇଁ କେତେ ସହାୟକ ହେଉଛି ତାହା ବିଚାରଯୋଗ୍ୟ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ