ସମ୍ବଲପୁର: ସମ୍ବଲପୁର ଷ୍ଟେସନପଡାର ବିଶ୍ବପ୍ରସିଦ୍ଧ ନାଁ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ରୀୟ ହରିପାଲ । ଏହି ନାଁ କାହା ପାଇଁ ଅଜଣା ନୁହେଁ । ନିଜ କଳା ବଳରେ ଏହି ନାଁଟି ଆଜି ସାରା ବିଶ୍ବରେ ପରିଚିତ । ପେଶାରେ ଜଣେ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ ଅନେକ ସମ୍ବଲପୁରୀ ଗୀତରେ କଣ୍ଠଦାନ କରିଥିବାବେଳେ ରଙ୍ଗବତୀ ଗୀତ ତାଙ୍କୁ ବିଶ୍ବପ୍ରସିଦ୍ଧ କରିଥିଲା । ଏପରିକି ଭାରତ ସରକାରଙ୍କ ପକ୍ଷରୁ ସେ ପଦ୍ମଶ୍ରୀ ସମ୍ମାନରେ ବି ସମ୍ମାନିତ । ହେଲେ ଏହି ପଦ୍ମଶ୍ରୀଙ୍କ ଘର କଥା ନକହିବା ଭଲ । ଚାଳ ଛପର ମାଟି ଘରେ ରହୁଥିବା ଏହି ମଣିଷ ପାଖରେ ଆଜିବି ଭଲ ଘରଟିଏ ନାହିଁ । କାରଣ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି ତାଙ୍କ ଘରର କିଛି ଅଂଶ ।
ସେପଟେ ଏନେଇ ଖବର ପ୍ରସାରଣ ପରେ ତାଙ୍କ ଭଙ୍ଗା ଘରକୁ ସଜାଡିବାକୁ ଆଗେଇ ଆସିଛି ସମ୍ବଲପୁର ମହାନଗର ନିଗମ । ନିଗମ କମିଶନର ଅନିରୁଦ୍ଧ ପ୍ରଧାନ ଖୋଦ ତାଙ୍କ ଘର ପରିଦର୍ଶନ କରିବା ସହ ଖୁବ ଶୀଘ୍ର ମରାମତି କରାଯାଇ ପୁନରୁଦ୍ଧାର କରାଯିବ ବୋଲି କହିଛନ୍ତି । ହେଲେ ତାଙ୍କୁ ନୂଆ ଘର ଯୋଗାଇ ଦେବା କଥାରେ କମିଶନର କୁହନ୍ତି ଯେ, ଜିତେନ୍ଦ୍ରୀୟଙ୍କ ଘର ରେଳବାଇ ଜମିରେ ଥିବାରୁ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଯୋଜନାରେ ନୂଆ ଘର ତିଆରି କରିବା ସମ୍ଭବ ହେଉନାହିଁ ।
କଳା ଏବଂ କଳାକାରଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ତଥାପି ପଦ୍ମଶ୍ରୀ ଜିତେନ୍ଦ୍ରୀୟଙ୍କୁ ନୂଆ ଜାଗା ସହ ଭଲ ଘରଟିଏ ଯୋଗାଇବାକୁ ସରକାର କାହିଁକି ଆଗକୁ ଆସୁନାହାନ୍ତି ? ସେ ନେଇ ପ୍ରଶ୍ନବାଚୀ ସୃଷ୍ଟୀ ହୋଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ