ସମ୍ବଲପୁର: ବିବାହକୁ ନେଇ ଝିଅମାନେ ଅନେକ ସ୍ବପ୍ନ ଦେଖିଥାନ୍ତି । ବାଣ ଫୁଟାଇ ରୋଷଣୀ ଧରି ବର ଆସିବ ଆଉ ସଜେଇ ହୋଇ ବେଦୀରେ ବସିବା ସ୍ବପ୍ନ ଦେଖୁଥାଏ ଝିଅ । କିନ୍ତୁ ଯେତବେଳେ ନିଜର ଲୋକ ପରକରି ଆରପାରିକି ଚାଲିଯାଇଆନ୍ତି ସେତେବେଳେ ଏହି ସ୍ବପ୍ନ ପୂରଣ ହେବା ସତେ ଅସମ୍ଭବ ମନେ ହୁଏ । କିନ୍ତୁ ଅନାଥ ଆଶ୍ରମରେ ରହି ମଧ୍ୟ ପୂଜାଙ୍କର ସେହି ସ୍ବପ୍ନ ପୂରଣ ହୋଇଛି । ହାତରେ ମେହେନ୍ଦି ଓ ବିବାହ ଜୋଡା ପିନ୍ଧି ବେଦୀରେ ବସି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପୂଜା। ଜିଲ୍ଲା ପ୍ରଶାସନ ତରଫରୁ ସମ୍ବଲପୁର ଧନକଉଡ଼ାରେ ହୋଇଛି ଏପରି ଆଦର୍ଶ ବିବାହ l ନିଜର ଝିଅ ପରି ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନେ ସମ୍ବଲପୁର ଶିଶୁ ଯତ୍ନ କେନ୍ଦ୍ରର ଅନ୍ତେବାସୀ ପୂଜାର ବିବାହକୁ ବଡ଼ ଧୁମ ଧାମରେ କରାଇଛନ୍ତି । ପଡୋଶୀ ବରଗଡ଼ ଜିଲ୍ଲାର ବରପାଳିର ଯୁବକ ପ୍ରମୋଦ ସହ ପୂଜାଙ୍କ ବିବାହ ହୋଇଛି ।
ହାତରେ ମେହେନ୍ଦି ଆଖିରେ ଆଖିଏ ସ୍ବପ୍ନ ନେଇ ଧନକଉଡ଼ା ଶିଶୁଯତ୍ନ କେନ୍ଦ୍ର ଗୃହରୁ ବିଦାୟ ନେଇ ଶାଶୁଘରକୁ ଯାଇଛନ୍ତି ପୂଜା। ଗତ 10 ବର୍ଷ ହେଲା ଧନକଉଡ଼ା ଶିଶୁ ଯତ୍ନ କେନ୍ଦ୍ରରେ ରହିବା ପରେ ଗୁରୁବାର ପ୍ରମୋଦଙ୍କ ହାତ ଧରିଛନ୍ତି ପୂଜା । ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀରଖି ବିବାହ ବନ୍ଧନରେ ଆବଧ ହୋଇଛନ୍ତି ବର କନ୍ୟା । ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ପୂଜା ସେଠାରେ ହିଁ ଛୋଟରୁ ବଡ ହୋଇଥିଲେ । ତେବେ ପୂଜା ବିବାହ ଯୋଗ୍ୟ ହେବାପରେ ତାଙ୍କ ନିକଟକୁ ଆସିଥିଲା ବରପାଲିର ପଣ୍ଡା ପରିବାରରୁ ବିବାହ ପ୍ରସ୍ତାବ। ପ୍ରମୋଦଙ୍କ ଟେଣ୍ଟ ହାଉସ ବ୍ୟବସାୟ କରୁଥିବା ବେଳେ ବିବାହ ପାଇଁ ସେ ମଧ୍ୟ ରାଜି ହୋଇଥିଲେ । ଏନେଇ ଆଶ୍ରମ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ l ଶେଷରେ ପୂଜାର ବାହାଘର ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ । ଆଉ ପରେ ଜିଲ୍ଲା ପ୍ରଶାସନର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆଇନ ଅନୁସାରେ ଆବଶ୍ୟକୀୟ କାଗଜ ପତ୍ର କରି ବିବାହ ପାଇଁ ଅନୁମତି ଦେଇଥିଲେ ।
ଏହାପରେ ବିବାହର ଲଗ୍ନ ସ୍ଥିର ହୋଇଥିଲା । ଗୁରୁବାର ଧନକଉଡ଼ା ଆଶ୍ରମ ସଜାଯାଇଥିବା ବେଳେ ବିବାହ ମଣ୍ଡପରେ ପହଞ୍ଚିଥିଲେ ବର ଓ ବରଯାତ୍ରୀ । ବାଜା ବାଣରେ ଫାଟି ପଡୁଥିଲା ପୁରା ପରିବେଶ । ବରପକ୍ଷଙ୍କୁ ସ୍ବାଗତ କରିବାକୁ ଉପସ୍ଥିତ ଥିଲେ ଜିଲ୍ଲା ପ୍ରଶାସନର ସବୁ ବରିଷ୍ଠ ଅଧିକାରୀ ଓ ଆଶ୍ରମରେ ରହୁଥିବା କୁନି କୁନି ଝିଅ । ସତେ ଯେମିତି ଲାଗୁଥିଲା ଏହା ଏକ ସାଧାରଣ ବାହାଘର । ସେପଟେ ବରଯାତ୍ରୀଙ୍କ ପାଇଁ ଭଳିକି ଭଳି ସ୍ବାଦିଷ୍ଟ ଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଆଦର୍ଶ ବାହାଘରରେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ କରିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ଶିଶୁ ସୁରକ୍ଷା ଯୋଜନା ଅନୁସାରେ 50 ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିବା ବେଳେ ଶିଶୁ ଯତ୍ନ ବିଭାଗ ପକ୍ଷରୁ ସବୁ ଜାନି ଯୌତୁକର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଶେଷରେ ବେଦି ଉପରେ ବର କନ୍ୟାଙ୍କ ପଡିଥିଲା ହାତଗଣ୍ଠି । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଉଭୟ ବରକନ୍ୟାକୁ ଆଶୀର୍ବାଦ ଦେଇଥିଲେ ।
ଇଟିଭି ଭାରତ, ସମ୍ବଲପୁର