ସମ୍ବଲପୁର: ନୂଆଖାଇ ବେଳେ ବିଧାନସଭା ବାଚସ୍ପତି ନିର୍ବାଚନକୁ ନେଇ କଂଗ୍ରେସ ବିଧାୟକ ଦଳନେତାଙ୍କ ପରେ ପରେ ବିଜେପି ମଧ୍ୟ କଡା ସମାଲୋଚନା କରିଛି । ଦଳ ଖୁବ ଶୀଘ୍ର ବିଚାର କରି ନିର୍ବାଚନରେ ଭାଗ ନେବ କି ନାହିଁ ସ୍ପଷ୍ଟ କରିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ରେଙ୍ଗାଲୀ ବିଧାୟକ ନାଉରୀ ନାଏକ । ଆଜି ନାଉରୀ କହିଛନ୍ତି ରାଜ୍ୟ ସରକାର ସବୁବେଳେ ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି l କାରଣ ବାଚସ୍ପତି ନିର୍ବାଚନ ପାଇଁ ରାଜ୍ୟ ସରକାର ନୂଆଁଖାଇ ପରଦିନ ଅର୍ଥାତ 21 ସେପ୍ଟେମ୍ବରରେ ନିର୍ବାଚନ ରଖିଛନ୍ତି l 20 ତାରିଖ ନୂଆଖାଇ ଥିବାବେଳେ 21 ତାରିଖରେ ନୂଆଖାଇବାସୀ ପାଳନ ହୋଇଥାଏ l ଏଭଳି ପରିସ୍ଥିତିରେ ପଶ୍ଚିମ ଓଡିଶାର ବିଧାୟକ ମାନେ ବାଚସ୍ପତି ନିର୍ବାଚନରେ କିଭଳି ଭାଗ ନେବେ? ତେଣୁ ଏହି ନିଷ୍ପତ୍ତି ଦ୍ବାରା ଏହା ପଶ୍ଚିମ ଓଡିଶାର ବିଧାୟକ ମାନଙ୍କ ପ୍ରତି ଅଣଦେଖା ସଦୃଶ୍ୟ l ସରକାରଙ୍କ ଏହି ନିଷ୍ପତିକୁ ନିନ୍ଦା କରିଛନ୍ତି ବିଧାୟକ ନାଉରୀ ନାଏକ l
ଏହାବି ପଢନ୍ତୁ- ନୂଆଁଖାଇ ପରଦିନ ବାଚସ୍ପତି ନିର୍ବାଚନ କିପରି ଅଂଶ ଗ୍ରହଣ କରିବୁ: ନରସିଂହ ମିଶ୍ର
ଅନ୍ୟପକ୍ଷରେ ଦଳ ବାଚସ୍ପତି ନିର୍ବାଚନରେ ଭାଗ ନେବ କି ବର୍ଜନ କରିବ ବିରୋଧୀ ଦଳ ନେତା ଓ ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରି ନିଷ୍ପତି ନେବ ବୋଲି ନାଉରୀ କହିଛନ୍ତି । ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏନେଇ କଡା ଆପତ୍ତି କରିବା ସହିତ ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ପୁଣି ଏକ ବୈମାତୃକ ମନୋଭାବ ବୋଲି କହିଥିଲେ । ଏହାସହ ରଜ ପର୍ବ ବେଳେ ଥରେ ବିଧାନସଭା ବସାଇ ଦେଖିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇଥିଲେ । ଏହା ସହ ବାଚସ୍ପତି ନିର୍ବାଚନରେ କଂଗ୍ରେସ ଭାଗ ନେବା ନାହିଁ ବୋଲି କହିଥିଲେ ।
ଏପଟେ କଂଗ୍ରେସ ମଧ୍ୟ ବାଚସ୍ପତି ନିର୍ବାଚନରେ ଭାଗ ନେବ ନାହିଁ ବୋଲି କହିଛନ୍ତି । ଆସନ୍ତା 20 ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବର ନୂଆଖାଇ । 21 ତାରିଖରେ ନୂଆଁଖାଇବାସୀ । ପରମ୍ପରା ଅନୁଯାୟୀ ପଶ୍ଚିମ ଓଡିଶାରେ ଦୁଇ ଦିନ ସରକାରୀ ଛୁଟି ହୋଇଥାଏ । ନୂଆଁଖାଇ ପର୍ବ ପାଳନ ପାଇଁ ପଶ୍ଚିମ ଓଡିଶାର ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଆସିଥାନ୍ତି । କୃଷିଭିତ୍ତିକ ନୂଆଁଖାଇ ପର୍ବ ହେଉଛି ପରମ୍ପରା, ସଂସ୍କୃତି, ଭାଇଚାରାର ନିର୍ଦଶନ । ଏହାକୁ ସରକାର ମଧ୍ୟ ସ୍ବୀକୃତି ଦେଇ ଦୁଇ ଦିନିଆ ଛୁଟି ଘୋଷଣା କରିଥାନ୍ତି । ଏହି ଛୁଟିକୁ ଅଧିକ କରିବା ପାଇଁ ମଧ୍ୟ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି । ହେଲେ ଆସନ୍ତା ନୂଆଁଖାଇ ପରଦିନ ଅର୍ଥାତ 21 ତାରିଖ ଦିନ ଅନୁଷ୍ଠିତ ହେବ ବିଧାନସଭାର ବାଚସ୍ପତି ନିର୍ବାଚନ । ଯାହାକୁ ନେଇ ଏବେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।
ନରସିଂହ ମିଶ୍ର କହିଛନ୍ତି, ‘‘ଚଳିତ ବର୍ଷ 20 ତାରିଖରେ ନୂଆଁଖାଇ ପଡୁଛି । ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାବାସୀ ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଆସନ୍ତି । ନୂଆଖାଇ ହେଉଛି ଆମ ପରିଚୟ । ନୂଆଖାଇ ପାଇଁ ପରିବାର ପ୍ରିୟ ପରିଜନ ଭାଇବନ୍ଧୁ କୁଟୁମ୍ବ ଏକାଠି ହୋଇଥାନ୍ତି । ପରିବାରରେ ଆନନ୍ଦ ଉଲ୍ଲାସ ସହ ବିଭିନ୍ନ କାର୍ଯ୍ୟକ୍ରମ ବି ହୋଇଥାଏ । ବର୍ଷକରେ ଥରେ ପରିବାର ସମସ୍ତେ ଏକାଠି ହୋଇଥାନ୍ତି । ଏଥିପାଇଁ ଗୋଟିଏ ଦିନ ଯଥେଷ୍ୟ ହୋଇନଥାଏ । ଫଳରେ ନୂଆଖାଇ ବାସୀ ମଧ୍ୟ ପାଳନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ନୂଆଖାଇ ପରଦିନ ଅର୍ଥାତ 21 ତାରିଖ ଦିନ ରାଜ୍ୟ ସରକାର ବିଧାନସଭା ବାଚସ୍ପତି ନିର୍ବାଚନ ରଖିଛନ୍ତି । ଏପରି ସ୍ଥଳେ ଆମେ (ପଶ୍ଚିମ ଓଡିଶା ବିଧାୟକ) କିପରି ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବୁ ବୋଲି ପ୍ରଶ୍ନ ଉଠାଇଛନ୍ତି ନରସିଂହ ।’’
ନରସିଂହ କହିଛନ୍ତି ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାବାସୀ ପୃଥିବୀର ଯେଉଁଠି ଥିଲେ ମଧ୍ୟ ଘରକୁ ଆସିଥାନ୍ତି । ବର୍ଷକରେ ଥରେ ପୁରା ପରିବାର ଏକାଠି ହୋଇଥାଏ ନୂଆଁଖାଇରେ । ମୋ ନିଜ ନାତି ମଧ୍ୟ ଲଣ୍ଡନରୁ ନୂଆଁଖାଇ ପାଇଁ ଘରକୁ ଆସୁଛି । କିନ୍ତୁ ରାଜ୍ୟ ସରକାର ନୂଆଖାଇ ପରଦିନ ଅର୍ଥାତ 21 ତାରିଖ ଦିନ ବାଚସ୍ପତି ନିର୍ବାଚନ ରଖିଛନ୍ତି । ଏପରି ସ୍ଥିତିରେ ଆମେ ନିର୍ବାଚନରେ ଭାଗ ନେବୁ କିପରି ? ବାଚସ୍ପତି ନିର୍ବାଚନ ପାଇଁ କଣ ନୂଆଁଖାଇ ବନ୍ଦ କରିଦେବୁ? ନୂଆଖାଇ ପଶ୍ଚିମ ଓଡିଶାରେ ଦୁଇ ଦିନ ପାଳନ ହୋଇଥାଏ । ଘରେ ସମସ୍ତେ ଜ୍ଞାତି କୁଟୁମ୍ବ ଥିବେ । ନୂଆଁଖାଇ ଦିନ ଆମେ ଭୁବନେଶ୍ବର ଫେରିପାରିବୁ ନାହିଁ । 21 ତାରିଖରେ ଯଦି ମଧ୍ୟ ଫେରୁ ତେବେ ମଧ୍ୟ ବିଧାନସଭାରେ ପହଞ୍ଚି ପାରିବୁ ନାହିଁ । ସରକାର ଜାଣିଶୁଣି 21 ତାରିଖ ଧାର୍ଯ୍ୟ କରିଛନ୍ତି ନା ଭୁଲବଶତଃ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ନରସିଂହ? ସରକାରଙ୍କ ଏହି ନିଷ୍ପତି ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ବୈମାତୃକ ମନଭାବ ବୋଲି କହିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର