ସମ୍ବଲପୁର: ପଶ୍ଚିମବଙ୍ଗରେ ଆରଏସଏସ କାର୍ଯ୍ୟକର୍ତ୍ତା ଓ ତାଙ୍କ ପରିବାରକୁ ନିର୍ମମ ହତ୍ୟାକାଣ୍ଡ ମାମଲାରେ ତାତିଲା ବଜରଙ୍ଗ ଦଳ । ସମ୍ବଲପୁରରେ ବଜରଙ୍ଗ ଦଳ ଓ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଏହାର ଘୋର ପ୍ରତିବାଦ କରାଯାଇଛି । ଏହି ପ୍ରସଙ୍ଗ ନେଇ ବଜରଙ୍ଗ ଦଳ ଜିଲ୍ଳାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଗତ 10 ତାରିଖରେ ପଶ୍ଚିମବଙ୍ଗରେ ଜଣେ ଆରଏସଏସ କର୍ମୀ ଓ ତାଙ୍କ ପରିବାରକୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହାର ପ୍ରତିବାଦରେ ଆଜି ସମ୍ବଲପୁରର ବଜରଙ୍ଗ ଦଳ ଓ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଏଥିରେ କିଛି ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଥିଲେ।
ଏହି ଅବସରରେ ଏହି ଜଘନ୍ୟ ହତ୍ୟାକାଣ୍ଡର ଦୋଷୀଙ୍କୁ ମୃତ୍ୟଦଣ୍ଡ ଦେବା, ଘଟଣାର ସିବିଆଇ ତଦନ୍ତ କରାଇବା, ପଶ୍ଚିମବଙ୍ଗରେ ଥିବା ବାଂଲାଦେଶୀଙ୍କୁ ବାହାର କରାଇବା ଓ ହିନ୍ଦୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଆଦି 4ଟି ଦାବି ନେଇ ଲିଖିତ ଆକାରରେ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ ବଜରଙ୍ଗ ଦଳର ପଶ୍ଚିମ ପ୍ରାନ୍ତ ସଂଯୋଜକ ସୁଧୀର ବହିଦାର ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ