ଦେବଗଡ: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ସୋଡ ଜଙ୍ଗଲରେ ସିଆରପିଏଫ ପକ୍ଷରୁ ମାଓବାଦୀଙ୍କ କ୍ୟାମ୍ପ ଠାବ କରାଯାଇଛି । ଟୁହିଲାମାଳ ଠାରେ ଥିବା ସିଆରପିଏଫ କ୍ୟାମ୍ପ ପକ୍ଷରୁ ରବିବାର ଠାରୁ କଂସର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଲଇଣ୍ଡା, ଅରଗାନ, ରେଣ୍ଡା, ଭୁତେଲ ଓ ସୋଡ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସ୍ବତନ୍ତ୍ର ଭାବରେ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ସୋଡ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଥିବା ଜଣାପଡିଥିଲା ।
ଘଟଣାସ୍ଥଳରୁ 43 ଟି ଡିଟୋନେଟର, 45ଟି ଜିଲାଟିନ ଷ୍ଟିକ୍, 50 ମିଟର ବିଦ୍ୟୁତ ତାର, ଦୁଇଟି ବ୍ୟାଟେରୀ, ଗୋଟିଏ ଦେଶୀ ବନ୍ଧୁକ, ଔଷଧ, ନକ୍ସଲ ପୁସ୍ତକ, ନକ୍ସଲଙ୍କ ବିଭିନ୍ନ ସାମଗ୍ରୀ ସିଆରପିଏଫ ଯବାନମାନେ ଜବତ କରିଛନ୍ତି ।
ସଂପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ହେଉଥିବା ସୂଚନା ମିଳିବା ପରେ 12 ବାଟାଲିଅନ ସିଆରପିଏଫ ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି । ଏହି ଅଞ୍ଚଳଟି ସମ୍ବଲପୁର ଜିଲ୍ଲା ସୀମାରେ ଅବସ୍ଥିତ ଥିବା ବେଳେ କମ୍ବିଂ ଅପରେସନରେ ଜମନକିରା ଠାରେ ଅବସ୍ଥାପିତ ସିଆରପିଏଫ ଯବାନମାନେ ମଧ୍ୟ ସାମିଲ୍ ହୋଇଥିଲେ।
ଚଳିତ ସାଧାରଣ ନିର୍ବାଚନବେଳେ ମାଓବାଦୀମାନେ ହିଂସା ଘଟାଇବାର ଆଶଙ୍କା ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ଏବେ ସମ୍ବଲପୁର ଦେବଗଡ ସୁନ୍ଦରଗଡ ମାଓ ଡିଭିଜନ ସକ୍ରିୟ ରହିଥିବାବେଳେ ବରିଷ୍ଠ ମାଓ ନେତା ସମରଜୀ ଏହାର ନେତୃତ୍ଵ ନେଉଥିବା ଜଣାପଡିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ