ସମ୍ବଲପୁର: ଚାଷୀଙ୍କ ପାଇଁ ସମ୍ବଲପୁରରେ ବିଜେପିର ବିଶାଳ ଚାଷୀ ଅଧିକାର ରାଲି । ମଣ୍ଡିରେ ଭିତ୍ତିଭୂମିର ଅବ୍ୟବସ୍ଥା, ଟୋକାନ ଅବ୍ୟବସ୍ଥା, କଟନୀ ଛଟନୀ, ମିଲର ରାଜ ବିରୁଦ୍ଧରେ ଆଜି ସମ୍ବଲପୁରରେ ବିଜେପି ପକ୍ଷରୁ ବିଶାଳ ଅଧିକାର ରାଲି ଅନୁଷ୍ଠିତ ହୋଇଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଗିରଫ ହୋଇଛନ୍ତି ବହୁ ନେତା । ଏହି ନେତାଙ୍କୁ ଟାଉନ ଥାନାରେ ରଖାଯାଇଛି । ପୂର୍ବରୁ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆରଡିସିଙ୍କ ସହ ଆଲୋଚନା ପାଇଁ ଅନୁମତି ଦିଆଯାଇଥିଲା । ଆଉ ଆଜି ମଧ୍ୟ ଆରଡିସିଙ୍କୁ ଭେଟିବାକୁ ଦିଆଯାଇନଥିବାରୁ ବର୍ତ୍ତମାନ ଗିରଫଦାରୀ ନେତାମାନେ ଥାନା ଭିତରେ ହିଁ ଧାରଣାରେ ବସିଛନ୍ତି । ନେତାଙ୍କ ଦାବି ରହିଛି ଯେ ଯେତେ ସମୟ ପର୍ଯ୍ୟନ୍ତ ଆରଡିସି ତାଙ୍କ ସହ ଆଲୋଚନା ନକରିବେ ସେତେ ସମୟ ପର୍ଯ୍ୟନ୍ତ ସେମାନେ ଥାନାରେ ଧାରଣାରୁ ଉଠିବେ ନାହିଁ ।


ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର 5 ଟି ସଂସଦୀୟ କ୍ଷେତ୍ର ଓ 37 ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ, ବିଧାୟକ, ନେତା, କାର୍ଯ୍ୟକର୍ତ୍ତା ତଥା ହଜାର ହଜାର ଚାଷୀ ସାମିଲ ହୋଇଥିଲେ । ରାଲି ବେଳେ ଅନେକ ବିଜେପି ନେତାଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଚାଷୀ ସମସ୍ୟା ନେଇ ସମ୍ବଲପୁର ପିଏଚଡି ପଡ଼ିଆରେ ଏକ ସମାବେଶ ହୋଇଥିଲା । ସମାବେଶରେ ବରିଷ୍ଠ ବିଜେପି ନେତାମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ କୃଷି ନୀତିକୁ ଚାଷୀ ବିରୋଧୀ ବୋଲି କହିଥିଲେ । ଏହା ପରେ ଏକ ବିଶାଳ ରାଲି ସମ୍ବଲପୁର ପିଏଚଡି ପଡ଼ିଆରୁ ସହର ମଧ୍ୟ ଦେଇ ଆରଡିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।


ଶେଷରେ ଅରଡିସି କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ହୋଇଥିଲା । ଏହାପରେ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାମାନେ ଆରଡିସି ଅଫିସ ଘେରାଉ କରିଥିଲେ । ତେବେ ପୋଲିସ ବ୍ୟାରିକେଟ ଭାଙ୍ଗି ଆରଡିସି ଅଫିସ ପଶିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାକୁ ନେଇ ସୁରେଶ ପୂଜାରୀ, ଜୟନରାୟନ ମିଶ୍ର, ରାଧାରାଣୀ ପଣ୍ଡା, ଟଙ୍କଧର ତ୍ରିପାଠୀ, ନାଉରୀ ନାଏକ, ରବି ନାଏକ ପ୍ରମୁଖ ନେତାଙ୍କୁ ପୋଲିସ ଗିରଫ କରିଛି । ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ଆଗକୁ ମଧ୍ୟ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି କହିଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ, ସଂଗୀତା ସିଂଦେଓ, ରବି ନାଏକ, କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ବକ୍ସି ଯୋଗ ଦେଇଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ