ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ମାନେଶ୍ବର ଓ ଯୁଜୁମୁରା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଏକ ସ୍ବାଭାବିକ କଥା ହୋଇଗଲାଣି। ହାତୀ ଆଉ ମଣିଷର ଏହି ସଙ୍ଘର୍ଷ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ଧନଜୀବନ ନଷ୍ଟ ହେଉଛି। ଗତ ମାସ 23 ତାରିଖରେ ମାନେଶ୍ବର ବ୍ଲକର କୁଢ଼େରନିଶା ଗାଁରେ ଦୁଇଜଣ ଶ୍ରମିକଙ୍କୁ ହାତୀ ଦଳି ଦେଇଥିଲା। ତେବେ ବାରମ୍ବାର ଏହି ଅଞ୍ଚଳରେ ହାତୀ ପଶିବାର କାରଣ ଜାଣିବା ପାଇଁ ମାନେଶ୍ବର ବ୍ଲକ କୁଢ଼େରନିଶା ଗ୍ରାମରେ ଆମେ ପହଞ୍ଚିଥିଲୁ।
ମାନେଶ୍ୱର ବ୍ଲକ ଓ ଯୁଜୁମୁରା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଛାତ ଉପରେ ରାତି କାଟୁଛନ୍ତି। ହାତୀ ଆତଙ୍କରେ ସ୍ଥାନୀୟ ଲୋକ ବଞ୍ଚୁଛନ୍ତି। ରାତି ହେଲେ ଜଙ୍ଗଲ ନିକଟବର୍ତୀ ଗାଁ ଭିତରକୁ ହାତୀପଲ ପଶି ଘର ଭାଙ୍ଗିଦେବା ସହ, ଖାଦ୍ୟ ଶସ୍ୟ ନଷ୍ଟ କରୁଛନ୍ତି। ଏମିତି ଘଟଣା ନିତିଦିନିଆ ହୋଇଗଲାଣି।
କୁଢ଼େରନିଶା ଗାଁ ତଥା ଆଖପାଖ ଗାଁ ଗୁଡ଼ିକରେ ମୁଖ୍ୟତଃ ଧାନ ଅମଳ ସମୟରେ ହାତୀ ଉପଦ୍ରବ ବୃଦ୍ଧି ପାଇଥାଏ। ସେଥିପାଇଁ ଏହି ଅଞ୍ଚଳକୁ କ୍ରପ ଟାଇମ ଏଲିଫଣ୍ଟ ମୁଭମେଣ୍ଟ ଟ୍ରେକ ଭାବେ ବିବେଚିତ କରାଯାଇଛି। ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ଜମିଜମା ସମ୍ପର୍କିତ କାଗଜପତ୍ର ନଥିବାରୁ ସେମାନେ କ୍ଷତିପୂରଣ ମଧ୍ୟ ପାଉନଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ ମୁତାବକ ଜଙ୍ଗଲ ନଷ୍ଟ ଓ ଖାଦ୍ୟର ଅଭାଵ ଯୋଗୁ ହାତୀମାନେ ଗାଁ ମୁହାଁ ହେଉଛନ୍ତି। ସେପଟେ ବନ ବିଭାଗ ଅଧିକାରୀ କହିଛନ୍ତି ଯେ, ଜଙ୍ଗଲରେ ନିଆଁ ଲାଗିବା, ଜଙ୍ଗଲ ପରିବେଶ ପରିବର୍ତ୍ତନ ହାତୀ ଗାଁ ଅଭିମୁଖେ ଚାଲି ଆସୁଛନ୍ତି। କେତେକ ଲୋକ ହାତୀ କରିଡର ନିକଟରେ ଘର କରି ରହୁଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ହାତୀ ଲୋକଙ୍କ ଘର ଭାଙ୍ଗିବାର ଘଟଣା ନଜରକୁ ଆସୁଛି। ଲୋକଙ୍କ ମଧ୍ୟରେ ବନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ସଚେତନତା ମଧ୍ୟ କରାଯାଉଛି। ତେବେ ଗାଁ ଲୋକେ କ୍ଷତି ପୂରଣ ଯୋଗାଇ ଦେବାକୁ ନିବେଦନ କରିଛନ୍ତି।
ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ