ସମ୍ବଲପୁର: ଏସପି ଅଫିସ ସମ୍ମୁଖରେ ଯୁବକଙ୍କ ଉନ୍ମକ୍ତ କାଣ୍ଡ । ବୁଧବାର ଅପରାହ୍ନରେ ଜଣେ ଯୁବକ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ଯୁବକଙ୍କୁ କାବୁ କରିଛି ପୋଲିସ ।
ପାରିବାରିକ କଳହରୁ କ୍ଷେତରାଜପୁର ଥାନାରେ ଯୁବକ ଓ ତାଙ୍କ ସ୍ତ୍ରୀ ମାମଲା ରୁଜୁ କରିଥିବାବେଳେ ନ୍ୟାୟ ନ ମିଳିବାରୁ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ସେହି ସମୟରେ ପୋଲିସ ଅଧିକାରୀ ପହଞ୍ଚି ତାଙ୍କୁ ଅଟକାଇଲେ । ତେବେ ଯୁବକ ଜଣକ ଅଇଁଠାପାଲି ଥାନା ଅଞ୍ଚଳର ଦୀପଲାଲ ବାଗ ବୋଲି ଜଣାପଡିଛି ।
ତାଙ୍କ ଘର ଅଇଁଠାପାଲି ଥାନା ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ସ୍ତ୍ରୀଙ୍କ ଘର ଖେତରାଜପୁର ଥାନା ଅଞ୍ଚଳରେ । ପାରିବାରିକ କଳହକୁ ନେଇ ଖେତରାଜପୁର ଥାନାରେ ଉଭୟ ପକ୍ଷରୁ ମାମଲା ହୋଇଛି । ଫଳରେ ଯୁବକ ଜଣକ ନ୍ୟାୟ ପାଇଁ ବୁଧବାର ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଜଣାପଡିଛି ।
ପୋଲିସ ଉଦ୍ଧାର କରି ତାଙ୍କୁ ହସ୍ପିଟାଲ ପଠାଇଥିବା ଖେତରାଜପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଯୁବକ ଜଣକ ସାମାନ୍ୟ ମାନସିକ ବିକୃତି ଥିବା ସହ ବାରମ୍ବାର ନିଜ ସ୍ତ୍ରୀକୁ ମାରପିଟ୍ କରୁଥିବାରୁ ତାଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଥିବାବେଳେ ଯୁବକ ଜଣକ ମଧ୍ୟ ତାଙ୍କ ଶଳା ଓ ସ୍ତ୍ରୀ ନାଁରେ ଥାନାରେ ଏତଲା ଦେଇଥିବା କ୍ଷେତରାଜପୁର ଥାନା ଅଧିକାରୀ ମମତା ନାୟକ ସୂଚନା ଦେଇଛନ୍ତି ।
ଗତ 2 ବର୍ଷ ହେଲା ସେ ଓ ତାଙ୍କ ସ୍ତ୍ରୀ ଅଲଗା ରହୁଥିବାବେଳେ ସଖୀ ସେଣ୍ଟରରେ ତାଙ୍କର କାଉନସେଲିଂ ଚାଲିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ । ବୁଧବାର ମଧ୍ୟ ଯୁବକ ଜଣକ ବିଷ ପିଇ ଦେଇଥିବା କହିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେ ଏସପି ଅଫିସ ଆସି ଏହି କାଣ୍ଡ ଭିଆଇଥିଲେ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ