ସମ୍ବଲପୁର: ଦଶହରା ପର୍ବ ପରେ କୁମାର ପୂର୍ଣ୍ଣିମା ଅବସରରେ ଦେବୀ ପୀଠ ଗୁଡିକରେ ନୂତନ ଧ୍ବଜାରୋହଣର ପରମ୍ପରା ରହିଛି l ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ମାଁ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବାସହ ମନ୍ଦିରର ନୂତନ ଧ୍ବଜାରୋହଣ ନୀତି ସମ୍ପନ୍ନ ହୋଇଛି l ଧ୍ବଜାରୋହଣ ନୀତି ରାତିରେ କରାଯିବାର ପରମ୍ପରା ଥିବା ବେଳେ ଆଜି ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଏହି ନୀତି ଅପରାହ୍ନ 1.30 ରୁ 2.30 ମଧ୍ୟରେ ସମ୍ପନ୍ନ ହୋଇଛି l
ଅଧିକ ପଢନ୍ତୁ- ଚନ୍ଦ୍ରଗ୍ରହଣ ପାଇଁ ଦିନ ବେଳା ହେବ ମା ସମଲେଶ୍ବରୀ ମନ୍ଦିରରେ ନୂତନ ଧ୍ବଜାରୋହଣ ନୀତି
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେଵୀ ମାଁ ସମଲେଶ୍ବରୀଙ୍କ ରାଜରାଜେଶ୍ବରୀ ବେଶ ଆଜି କୁମାର ପୁର୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି l ବର୍ଷକରେ ଥରେ ମାଁ ସମଲେଶ୍ବରୀ ଏହି ବେଶରେ ଦର୍ଶନ ଦେଉଥିବା ବେଳେ ମାଙ୍କ ଏହି ଅପୂର୍ବ ବେଶକୁ ଦର୍ଶନ କରିବାକୁ ଭକ୍ତ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା l ପ୍ରତ୍ୟେକ ବର୍ଷ କୁମାର ପୁର୍ଣ୍ଣିମାରେ ସ୍ବତନ୍ତ୍ର ରୀତିନୀତି ଓ ପୂଜାର୍ଚ୍ଚନା ସହ ମାଙ୍କୁ ଏହି ରାଜରାଜେଶ୍ବରୀ ବେଶରେ ସୁସଜ୍ଜିତ କରାଯାଇଥାଏ l ଆଜି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଅପରାହ୍ନ 1.30 ରୁ 2.30 ମଧ୍ୟରେ ମାଙ୍କୁ ରାଜରାଜେଶ୍ବରୀ ବେଶରେ ସୁସଜ୍ଜିତ କରାଯାଇଥିଲା l ମାଙ୍କ ଏହି ବେଶକୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ବାସ ରହିଛି l ତେଣୁ ଆଜି ଭକ୍ତଙ୍କ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଥିଲା l ଆଜିର ଏହି ପବିତ୍ର ଦର୍ଶନ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ଆସିବାର ଦେଖିବାକୁ ମିଳିଥିଲା l
ଅଧିକ ପଢନ୍ତୁ- ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ସମଲେଶ୍ବରୀ, ଭକ୍ତଙ୍କ ପାଇଁ ଆସିଲା ଗାଇଡଲାଇନ
କୁମାର ପୁର୍ଣ୍ଣିମା ତିଥୀ ସନ୍ଧ୍ୟାରେ ମାଁ ସମଲେଶ୍ବରୀ ମନ୍ଦିରର ନୂତନ ଧ୍ବଜା ରୋହଣ ପରମ୍ଫରା ରାଜା ବଳରାମ ଦେବଙ୍କ ସମୟରୁ ରହିଆସିଛି l ଆଜି ଚନ୍ଦ୍ରଗ୍ରହଣ ପାଇଁ ଦିନ ସମୟରେ ମା ସମଲେଶ୍ବରୀଙ୍କ ନୂତନ ଧ୍ବଜା ଆରୋହଣ କରାଯାଇଛି l ମାଁଙ୍କ ସେବକ ସ୍ବାଇଁ ପରିବାରର ସଦସ୍ୟ ପୂଜାର୍ଚନା ପରେ ଏହି ନୂଆଁ ଧ୍ବଜା ମନ୍ଦିର ଉପରେ ଲଗାଇବାର ପରମ୍ପରା ରହିଛି l ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ଧ୍ବଜାରୋହଣ ପୂର୍ବରୁ ପୁରୁଣା ଧ୍ବଜାକୁ ଅବତରଣ କରାଯାଇଥାଏ l ବର୍ଷସାରା ମାଁଙ୍କ ଶିଖରରେ ଶୋଭା ପାଉଥିବା ପୁରୁଣା ଧ୍ବଜାକୁ ଭକ୍ତ ମାନେ ନିଜ ପୂଜାଘରେ ରଖିଲେ ସୁଖ ସମୃଦ୍ଧି ଆସେ ବୋଲି ବିଶ୍ବାସ ରହିଛି l ମାଁ ସମଲେଶ୍ବରୀଙ୍କ ଧ୍ବଜାରୋହଣ ସମୟରେ ମନ୍ଦିର ପରିସରରେ ପୂଜକ ମାନେ ପାରମ୍ପରିକ ଆଖଡା ଖେଳ ପ୍ରଦର୍ଶନ କରିବା ସହ ଗୁଲେଇ ବାଡ଼ି ଖେଳ ମଧ୍ୟ ମାଁ ସମଲେଶ୍ବରୀଙ୍କୁ ସ୍ମରଣ କରି ପରିବେଷଣ କରିଥାନ୍ତି l
ଇଟିଭି ଭାରତ, ସମ୍ବଲପୁର